spot_img

Latest Posts

ପାନ ଓ କିଆଫୁଲ ଚାଷ ପାଇଁ ‘ରାଜ୍ୟ ଯୋଜନା’ରେ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା

ଭୁବନେଶ୍ବର: ପାନ ଓ କିଆ ଫୁଲ ଚାଷୀଙ୍କ ପାଇଁ ଖୁସି ଖବର । ପାନ ଚାଷକୁ ‘ରାଜ୍ୟ ଯୋଜନା’ରେ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଉଭୟ ଚାଷର ପ୍ରକ୍ରିୟାକରଣ ୟୁନିଟ ପାଇଁ ସହାୟତା ମିଳିବ । ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ କିଆଫୁଲ ଚାଷକୁ ମଧ୍ୟ ଦିଆଯିବ ସହାୟତା ।

ନିଷ୍ପତ୍ତି ଅନୁଯାୟୀ, ସବୁ ପାନଚାଷୀଙ୍କୁ ରାଜ୍ୟ ଯୋଜନାର ସ୍ବତନ୍ତ୍ର ଫଳ ଭିତ୍ତିକ ଯୋଜନାରେ ସାମିଲ କରି ଆର୍ଥିକ ସହାୟତା ଦିଆଯିବ । ଅତିକମ୍‌ରେ ୨୦୦ ବର୍ଗ ମିଟର ପରିଧିର ପାନ ବରଜ ଥିବା ଚାଷୀ ସହାୟତା ପାଇଁ ଯୋଗ୍ୟ ବିବେଚିତ ହେବେ । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏଥିପାଇଁ ସ୍ବତନ୍ତ୍ର ନିୟମାବଳୀ ପ୍ରସ୍ତୁତ କରିବ । ପାନ ବରଜ ଥିବା ଚାଷୀଙ୍କୁ ଏହାର ପରିଚାଳନା ପାଇଁ ୟୁନିଟ ପିଛା ୨ ହଜାର ୫ଶହ ଟଙ୍କା ସହାୟତା ଦିଆଯିବ । ଜଣେ ଚାଷୀଙ୍କୁ ସର୍ବାଧିକ ଦୁଇଟି ୟୁନିଟ ପାଇଁ ସହାୟତା ମିଳିବ । ପାନଚାଷ ପାଇଁ କିଷାନ କ୍ରେଡିଟ କାର୍ଡ ଜରିଆରେ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ପାନ ଓ କିଆ ଫୁଲ ଚାଷୀଙ୍କ ବିଭିନ୍ନ ଅସୁବିଧା ସମ୍ପର୍କରେ ଆପତ୍ତି ଅଭିଯୋଗ ଆସିଥିଲା । ସେ ସବୁର ସମାଧାନ ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ 5T ସଚିବଙ୍କ ସହିତ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ, ସମବାୟ ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ପାନପତ୍ର ବ୍ୟବସାୟରେ ଜିଏସଟି ଲାଗୁ ସମ୍ପର୍କରେ ଜିଏସଟି କମିଶନରଙ୍କୁଠାରୁ ସ୍ପଷ୍ଟୀକରଣ ମଗାଯିବା ସହିତ ଏ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ । ପାନପତ୍ର ପ୍ରକ୍ରିୟାକରଣ ୟୁନିଟ ଗୁଡିକୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ସବ୍‌ସିଡି ଯୋଗାଇ ଦିଆଯିବ। ଏଥିପାଇଁ ଆପିକଲ୍‌ ପକ୍ଷରୁ ଏକ ଡିପିଆର ପ୍ରସ୍ତୁତ କରାଯିବ।

ସେହିପରି ଗଞ୍ଜାମର କିଆ ଫୁଲ ଚାଷୀଙ୍କୁ ମଧ୍ୟ ଜାତୀୟ ଉଦ୍ୟାନ କୃଷି ଅଧୀନରେ ପ୍ରୋତ୍ସାହନ ଦେବାକୁ ନିଷ୍ପତ୍ତି ହୋଇଛି । ଉଦ୍ୟାନ କୃଷି ମିଶନର ସହାୟତା ସହିତ ରାଜ୍ୟ ବଜେଟରୁ କିଆ ଫୁଲ ଚାଷ ପାଇଁ ଅତିରିକ୍ତ ସହାୟତା ମଧ୍ୟ ଦିଆଯିବ । କିଆ ଫୁଲ ଚାଷ ସ୍ଥାନ ଗୁଡିକର ସାଇଣ୍ଟିଫିକ୍ ମ୍ୟାପିଙ୍ଗ୍‌ କରି ସହାୟତା ଦିଆଯିବ । ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗସ୍ତ ହୋଇଥିବା କିଆ ଫୁଲ ଫସଲ ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ରିପୋର୍ଟ ଭିତ୍ତିରେ ଦିଆଯିବ ସହାୟତା । ଏଥିପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଗଞ୍ଜାମ ଜିଲ୍ଲାପାଳ ମିଳିତ ଭାବେ ମୋଡାଲିଟି ପ୍ରସ୍ତୁତ କରିବେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କିଆ ଫୁଲ ପ୍ରକ୍ରିୟାକରଣ ୟୁନିଟକୁ ସାମିଲ କରିବା ପାଇଁ ଯୋଜନାର ନିୟମାବଳୀରେ ଆବଶ୍ୟକ ପରିବର୍ତ୍ତନ କରାଯିବ । ଗଞ୍ଜାମ ଜିଲ୍ଲାରେ କିଆଫୁଲ ଚାଷକୁ ପ୍ରୋତ୍ସାହନ ଦେବାକୁ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ କିମ୍ବା ଅନ୍ୟ କୌଣସି ଭାରତୀୟ କୃଷି ଗବେଷଣା ପ୍ରତିଷ୍ଠାନର ସହାୟତା ନିଆଯିବ ।

Latest Posts

Don't Miss