ଅଜଣା ରୋଗରେ ପୀଡିତ ଦିବ୍ୟାଙ୍ଗ ଝିଅ, ସରକାରୀ ସହାୟତା ପାଇଁ ଗୁହାରୀ

ନନ୍ଦିଘୋଷ ବ୍ୟୁରୋ: ଖେଳକୁଦ ବୟସରେ ଆରମ୍ଭ ହେଲା ଜୀବନ ସଂଗ୍ରାମ। ଜନ୍ମରୁ ମୂକ ହୋଇଯାଇଥିବା ଝିଅ ଅଜଣା ରୋଗରେ ହେଉଛି ଛଟପଟ। ନା କହିପାରୁଛି ନା ଚାଲିପାରୁଛି। ଆର୍ଥିକ ଦୁର୍ଗତି ଭିତରେ ଥିବା ପରିବାର ଝିଅ ମୁହଁରେ ଫୁଟାଇ ପାରୁନାହାନ୍ତି ହସ।
ଦଇବ ଦେଲା ଦୁଃଖ। ଜନ୍ମରୁ ମୂକ ନନ୍ଦିନୀ। ବୋଝ ଉପରେ ନଳିତା ବିଡ଼ା ସଦୃଶ ୬ ବର୍ଷରେ ଆସିଲା ଅଜଣା ରୋଗ। କ୍ରମଶଃ ପାଦ ହୋଇଗଲା ଅଚଳ। କଟକ ଜିଲ୍ଲା ସାଲେପୁର ବ୍ଲକ ଜାହାଙ୍ଗିରାବାଦ ଗ୍ରାମର ଦିନ ମଜୁରିଆ ଅଜୟ କୁମାର ସାମଲଙ୍କ ଝିଅ ନନ୍ଦିନୀ। ବୟସ ୧୭ ହେଲେ, ନା ଚାଲି ପାରୁଛି ନା କଥା କହିପାରୁଛି। ବାପା ମା ହିଁ ସାଜିଛନ୍ତି ସାହାରା।ବାପା ଯାହା ସଞ୍ଚୟ କରିଥିଲେ ସବୁ ମେଡିକାଲରେ ସରିଲା। ଅଧିକ ଚିକିତ୍ସା ପାଇଁ ବାଧକ ସାଜିଲା ଅର୍ଥ। ସରକାରୀ ସହାୟତା ପାଇଁ ନେତା ଅଫିସରଙ୍କୁ ଗୁହାରୀ କରି ହେଲେ ନିରାଶ। ଖୁଆଇବା ଠାରୁ ଆରମ୍ଭ କରି ନିତ୍ୟକର୍ମ ସବୁକିଛି କରୁଛନ୍ତି ମାଆ। ନନ୍ଦିନୀ ଶହେ ପ୍ରତିଶତ ଭିନ୍ନକ୍ଷମ ଥିଲେ ବି ବର୍ଦ୍ଧିତ ଭତ୍ତା ମିଳୁନାହିଁ। ଅନେକ ସ୍ବପ୍ନ ଦେଖିବା ବୟସରେ ଘରେ ବାନ୍ଧି ହୋଇ ପଡିରହିଛନ୍ତି ନନ୍ଦିନୀ। ଜୀବନ ସଂଗ୍ରାମରେ ଯୁଝୁଥିବା ଝିଅଙ୍କ ଲାଗି କୌଣସି ମହଲରୁ ମିଳିପାରୁନାହିଁ ସହାୟତା। ସରକାରଙ୍କ ବହୁ ଯୋଜନା ଥିଲେ ବି ନନ୍ଦିନୀଙ୍କ ଲାଗି ସବୁ ଯେପରି ହୋଇଛି ବନ୍ଦ।