ଦୁଇ ଛାତ୍ରଙ୍କ ଜୀବନରେ ବଇରୀ ସାଜିଛି ରୋଗ

1 min read

ନନ୍ଦିଘୋଷ ବ୍ୟୁରୋ: ରୋଗ ଦୁଇ ଛାତ୍ରଙ୍କ ଜୀବନରେ ଦୁଃଖ ଭରିଛି । ପାଠ ପଢାରେ ଡୋରି ପକାଇବାକୁ ବାଧ୍ୟକରିଛି  । ଜଣେ ଆଦିବାସୀ ମେଧାବୀ ଯୁବକର ଭବିଷ୍ୟତ ଏବେ ଅନ୍ଧାରକୁ ଠେଲି ହୋଇଯାଇଛି। ଆଉଜଣେ ଷଷ୍ଠ ଶ୍ରେଣୀରେ ପଢୁଥିବା ଛାତ୍ରଙ୍କ ଜୀବନ ଯନ୍ତ୍ରଣାରେ ଜର୍ଜରିତ ହୋଇଛି । କୋରାପୁଟ ଜିଲ୍ଲା ଜୟପୁର ବ୍ଲକର ବଡପଡା ଗାଁର ୨୭ ବର୍ଷୀୟ ଆଦିବାସୀ ଯୁବକ ଜଗନ୍ନାଥ ଗାଦବାଙ୍କ ହସଖୁସିର ସଂସାରରେ ନିରାଶ ଭରିଯାଇଛି  । ଜଗନ୍ନାଥ ବାପା ଜଣେ କ୍ଷୁଦ୍ର ଚାଷୀ । ଦୁଇଭାଇ, ଦୁଇ ଭଉଣୀଙ୍କୁ ମିଶାଇ 7 ପ୍ରାଣୀ କୁଟୁମ୍ବ । ଜଗନ୍ନାଥ ହେଉଛନ୍ତି ବଡ ପୁଅ । ବାପା ଅତି କଷ୍ଟରେ ପାଠ ପଢାଇଥିଲେ । ଜଗନ୍ନାଥ ମଧ୍ୟ ଭଲ ପାଠ ପଢି ଯୁକ୍ତ 3ରେ ଅର୍ଥନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ । ଆଶା କରିଥିଲେ ପାଠ ପଢି ପରିବାର ଓ ସମାଜ ପାଇଁ  କିଛି କରିବେ । କିନ୍ତୁ  ହଠାତ୍ କଳା ବାଦଲ ଛାଇଗଲା ଜଗନ୍ନାଥଙ୍କ ଜୀବନରେ । ତାଙ୍କ ଦୁଇ ଗୋଡ ଅକାମୀ ହୋଇ ଚଲାବୁଲା କରିପାରିଲେ ନାହିଁ । ସାମର୍ଥ୍ୟ ଅନୁଯାୟୀ ପରିବାର ଲୋକେ ବିଭିନ୍ନ ଆଡେ ଦେଖାଇଲେ ମଧ୍ୟ କୌଣସି ସୁଫଳ ମିଳିଲାନାହିଁ  । ଏବେ BSKY କାର୍ଡରେ ଚିକିତ୍ସା ପାଇଁ ଅଣ୍ଟା ଭିଡିଛନ୍ତି ଜଗନ୍ନାଥ  । ହେଲେ ଗସ୍ତ ଖର୍ଚ୍ଚ ମଧ୍ୟ ଗରିବ ପରିବାର ପାଖରେ ନଥିବାରୁ ରାଜ୍ୟ ସରକାରଙ୍କୁ ସହାୟତା ପାଇଁ ନିବେଦନ କରିଛନ୍ତି  ।

ସେହିପରି ଷଷ୍ଠ ଶ୍ରେଣୀରେ ପଢୁଥିବା ପ୍ରେମ କୁମାରଙ୍କ ଜୀବନରେ ଭରିଯାଇଛି ଦୁଃଖ  । ରୋଗର ଯନ୍ତ୍ରଣା ତାଙ୍କୁ ପାଠ ପଢାରେ ଡୋରି ବାନ୍ଧିବାକୁ ବାଧ୍ୟ କରୁଛି  । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକର ବର ମୁଣ୍ଡଳୀ ଗାଁର ଏହି ଶିଶୁକୁ ଦେଖିଲେ ମନ ବିଚଳିତ ହୋଇଯାଉଛି  । ପ୍ରେମର ବୟସ ବଢିବା ସହ ବଢିଚାଲିଛି ବାମ ହାତର ମାଂସ ପିଣ୍ଡୁଳା । ବାପା କରୁଣାକର ଦିନ ମଜୁରିଆ ଭାବେ କାମ କରି ଯାହା ଆଣନ୍ତି ସେତିକିରେ ସାତ ପ୍ରାଣୀ କୁଟୁମ୍ବ ଚଳୁଛି   । ଏମିତିରେ ପୁଅର ଚିକିତ୍ସା କରାଇ ସର୍ବସ୍ବାନ୍ତ ହୋଇପଡିଛନ୍ତି କରୁଣାକର । ଏବେ ପ୍ରେମର ଚିକତ୍ସା ପାଇଁ ସରକାରଙ୍କ ସହାୟତା ଲୋଡିଛନ୍ତି ପରିବାର  ।