ଆଜିଠୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଲୀଳା, ବଣଭୋଜି ଠୁ କଂସ ବଦ୍ଧ ନୀତି ପାଳନ ହେବ

ପୁରୀ: ଆଜି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ଜନ୍ମାଷ୍ଟମୀ । ଏଥିପାଇଁ ବିଭିନ୍ନ ମନ୍ଦିରରେ ପାଳିତ ହେଉଛି କୃଷ୍ଣ ଜନ୍ମୋତ୍ସବ । ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମଥୁରାନଗରୀ ଠାରୁ ଆରମ୍ଭ କରି ଜଗନ୍ନାଥ ଧାମ ପୁରୀ ପର୍ଯ୍ୟନ୍ତ ସବୁଠି ଉତ୍ସାହର ମାହୋଲ । ଶ୍ରୀମନ୍ଦିରରେ ବିଶେଷ ଭାବେ ଏହି ଜନ୍ମୋତ୍ସବ ପାଳିତ ହେଉଛି । ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ନୀତି ପାଳିତ ହେବ । ସନ୍ଧ୍ୟାଧୂପ ଶେଷ ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଶ୍ରୀମନ୍ଦିରରେ ପାଳିତ ହେବ ।

ଆଜି ଠାରୁ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଆରମ୍ଭ ହୋଇ ବଣଭୋଜି, କାଳୀୟ ଦଳନ ଭଳି ଅନେକ ନୀତି ସହ କଂସ ବଦ୍ଧ ପର୍ଯ୍ୟନ୍ତ ଶ୍ରୀକୃଷ୍ଣ ଲୀଳା ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ସନ୍ଧ୍ୟାଧୂପ ସରିବା ପରେ ଜୟବିଜୟ ଦ୍ବାର ବନ୍ଦ କରାଯାଇ ଭଣ୍ତାର ଘର ସମ୍ମୁଖ ଭାଗରେ ପୂଜାପଣ୍ତା ସେବାୟତ ମାନେ ପଞ୍ଚବର୍ଣ୍ଣ ମୁରୁଜରେ ଜନ୍ମମଣ୍ତଳୀ ଅଙ୍କନ କରିଥାନ୍ତି । ସେଠାରେ ସୁନାର କୃଷ୍ଣ ମୁର୍ତ୍ତି ରଖାଯାଇ ଦକ୍ଷିଣ ଘରୁ ମଦନମୋହନଙ୍କୁ ବିଜେ କରାଯାଇଥାଏ । ପରେ ମହାଜନ ସେବକ ଦେବକୀ ଓ ବସୁଦେବ ହୋଇ ଏହି ଜନ୍ମନୀତି ପାଳନ କରିଥାନ୍ତି ।

ସେହିପରି ଜଗମୋହନ ନିକଟରେ ଏକ ଦୋଳିରେ ମଦନମୋହନଙ୍କୁ ରଖାଯାଇ ଶ୍ରୀକୃଷ୍ଣ ଜନ୍ମନୀତି ଶେଷ କରାଯାଇଥାଏ । କିମ୍ବଦନ୍ତୀ ଅନୁସାରେ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବିଷ୍ଣୁଙ୍କ ଅଷ୍ଟମ ଅବତାର ଭାବେ ଶ୍ରୀକୃଷ୍ଣ ଜନ୍ମ ହୋଇଥିଲେ । ଦେବକୀ ଓ ବସୁଦେବଙ୍କ ପୁଅ ଭାବେ କଂଶର ବନ୍ଦୀଶାଳରେ ଜନ୍ମ ହୋଇଥିଲେ ଶ୍ରୀକୃଷ୍ଣ । ପରେ କଂସ ଭୟରେ ବାପା ବସୁଦେବ ଶ୍ରୀକୃଷ୍ଣଙ୍କୁ ନେଇ ମଥୁରାରେ ଛାଡି ଆସିଥିଲେ । ସେଠାରେ ନନ୍ଦ ରାଜାଙ୍କ ପୁଅ ଭାବେ ସେ ପାଳିତ ହୋଇଥିଲେ । ହିନ୍ଦୁ ଧର୍ମରେ ଏହି ଦିନଟିକୁ ବେଶ୍ ଉତ୍ସାହର ସହିତ ପାଳନ କରାଯାଇଥାଏ । ବିଶ୍ବର ହିନ୍ଦୁ ସଂପ୍ରଦାୟ ପାଇଁ ଏହା ଏକ ପବିତ୍ର ଦିନ । ଗାଁଠୁ ସହର ସବୁଠି ଏହି ଦିନ ଉତ୍ସବମୁଖର ହୋଇଉଠେ ।