କିଣିବାକୁ ଗ୍ରାହକ ପ୍ରସ୍ତୁତ : ପୂର୍ଣ୍ଣାଙ୍ଗ ଗାଁକୁ କରାଯାଉଛି ବିକ୍ରି
1 min read
ନନ୍ଦିଘୋଷ ବ୍ୟୁରୋ: ପୂର୍ଣ୍ଣାଙ୍ଗ ଗାଁକୁ କରାଯାଉଛି ବିକ୍ରି । ଶତାଧିକ ଆଦିବାସୀ ପରିବାର କୁଆଡେ ଯିବେ, କଣ କରିବେ ତାକୁ ନେଇ ଚିନ୍ତାରେ । ଏପରି କିଛି ସ୍ପର୍ଶକାତର ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଡକ୍ଟର ବାଞ୍ଜେରୀ ଗାଁରେ । ଘଟଣାକୁ ନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିବା ବେଳେ କିଂ କର୍ତ୍ତବ୍ୟମୁଢ ଜିଲ୍ଲା ପ୍ରଶାସନ ।
ଏକ ପୂର୍ଣ୍ଣାଙ୍ଗ ଗାଁକୁ କରାଯାଉଛି ବିକ୍ରି । କିଣିବାକୁ ଗ୍ରାହକ ପ୍ରସ୍ତୁତ । ଜିଲ୍ଲା ନିବନ୍ଧକ କାର୍ଯ୍ଯାଳୟରେ ଚାଲିଛି ପ୍ରସ୍ତୁତି । ଘଟଣାଟି ସତ ଓ ଅତ୍ଯନ୍ତ ସ୍ପର୍ଶକାତର । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଡକ୍ଟର ବାଞ୍ଜେରୀ ଗାଁରେ ବହୁ ବର୍ଷ ଧରି ରହିଆସୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଶତାଧିକ ପରିବାର । ଗାଁରେ ସରକାରଙ୍କ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର, ବିଦ୍ଯୁତ, ପାନୀୟ ଜଳପ୍ରକଳ୍ପ, ରାସ୍ତାଘାଟ, କମ୍ଯୁନିଟି ସେଣ୍ଟର ଭଳି ଅନେକ ଅନୁଷ୍ଠାନ ରହିଛି । ଲୋକମାନେ ଗ୍ରାମର ଜମିବାଡିରେ ଚାଷବାଷ, ଦୋକାନ ବଜାର, ଜଙ୍ଗଲଜାତ ଦ୍ରବ୍ଯ ସଂଗ୍ରହ କରି ଜୀବନଜୀବିକା ନିର୍ଭର କରିଆସୁଛନ୍ତି । ହେଲେ ଏତେ ବର୍ଷ ପରେ ଗାଁର ଜମି ମାଲିକାନା ଉପରେ ଆସିଛି ଭିନ୍ନ ତଥ୍ୟ । ଯାହା ସମସ୍ତଙ୍କୁ ଚକିତ କରିଛି । ସମସ୍ତ ଗାଁ ସହ ଆଖପାଖ ଅଂଚଳର ୫୨ ଏକର ଜମି ତାଙ୍କ ପୂର୍ବପୁରୁଷଙ୍କ ନାଁରେ ଥିବା ଦାବି କରିଛନ୍ତି ଜମିର ଉତ୍ତରାଧିକାରୀ । ସେ ଉକ୍ତ ଜମିକୁ ଅନ୍ୟ ଜଣଙ୍କୁ ବିକ୍ରି କରିବେ ଏବଂ ଗାଁକୁ ଉଚ୍ଛେଦ କରାଯିବ । ଯାହାକୁ ନେଇ ଚିନ୍ତାରେ ଗ୍ରାମବାସୀ ।
ଗୋଷାଣୀ ବ୍ଲକ ଅନ୍ତର୍ଗତ ପର୍ଶୁରାମପୁର ମୌଜାର ଡକ୍ଟର ବାଞ୍ଜେରୀ ଗାଁ । ପାରଳାଖେମୁଣ୍ଡି ତହସିଲ ପର୍ଶୁରାମପୁର ଓ ନରହରିପୁର ମୌଜାର ଖତିୟାନ ନଂ- ୫୧ ଓ ୩୦ ରେ ରହିଛି ଏହି ଗାଁ । ଖତିଆନରେ ସ୍ବର୍ଗତ ମାଟୁରୁ କ୍ରୀଷ୍ଣା ମୂର୍ତ୍ତିଙ୍କ ନାମରେ ଥିବା ଜମି ତାଙ୍କ ମୃତ୍ୟୁ ପରେ ଗ୍ରାମବାସୀଙ୍କ ଅଜ୍ଞାତରେ ତାଙ୍କ ଉତ୍ତରାଧିକାରୀ ମାଟୁରୁ ମାଧବ ସ୍ବାମୀଙ୍କ ନାମକୁ ମାଲିକାନା ପରିବର୍ତ୍ତନ କରାଯାଇଥିବା ତଥ୍ୟ ସାମ୍ନାକୁ ଆସିଛି । ଉକ୍ତ ମାଟୁରୁ ମାଧବ ସ୍ବାମୀ ଏବେ ସେହି ଜାଗାକୁ ଅନ୍ୟ ଜମି ମାଫିଆଙ୍କୁ ବିକ୍ରି କରିବା ପାଇଁ ଜିଲ୍ଲା ନିବନ୍ଧକ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି । ଏଥିରେ ଗ୍ରାମବାସୀଙ୍କ ଅଜ୍ଞାତରେ ସମ୍ପୃକ୍ତ ରାଜସ୍ୱ ନିରୀକ୍ଷକ ଓ ତହସିଲ କର୍ମଚାରୀ ଜମି ସରିହଦ ଚିହ୍ନଟ ନକରି ଗୁପ୍ତରେ ସହଯୋଗ କରୁଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିବା ବେଳେ କିଂ କର୍ତ୍ତବ୍ୟମୁଢରେ ଜିଲ୍ଲା ପ୍ରଶାସନ।…
ଏଠି ପ୍ରଶ୍ନ ଉଠୁଛି- ବାଞ୍ଜେରୀ ଗାଁରେ ଏତେ ସବୁ ସରକାରୀ ଅନୁଷ୍ଠାନ ନିର୍ମାଣ ହେବା ପୂର୍ବରୁ ଜମିର ସ୍ଥିତି ଯାଞ୍ଚ ହେଲା ନାହିଁ କିପରି ? ଏତେ ବଡ଼ ଜନବସତି ଗଢ଼ି ଉଠିବା ସମୟରେ ଜମି ମାଲିକ ଚୁପ ବସିଥିଲେ କିପରି ? ଏତେ ବର୍ଷ ମଧ୍ୟରେ ନିଜ ଅଧିକାର ନେଇ କୌଣସି ପ୍ରତିବାଦ କରି ନାହାନ୍ତି କିପରି ? ଏସବୁ ମଧ୍ୟରେ ଗାଁଟି ବିକ୍ରି ହେବା ପରେ ଏତେ ସଂଖ୍ୟକ ଗ୍ରାମବାସୀଙ୍କ ଭବିଷ୍ୟତ କ’ଣ ହେବ ?