ନନ୍ଦିଘୋଷ ବ୍ୟୁରୋ: କିପରି ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ କବଜାକୁ ନେଲା ସିଆଇଏ ଓ ଏଫବିଆଇ। କିପରି ଥିଲା ଅପରେସନ ଆବସଲ୍ୟୁଟ ରିଜଲଭ। ଜାନୁଆରୀ ୩ରେ ନିକୋଲାସଙ୍କୁ ଧରିବା ପୂର୍ବରୁ ଗତ ୨୦୨୫ ଅଗଷ୍ଟରୁ ହୋଇଥିଲା ଯୋଜନା। ନିକୋଲାସଙ୍କୁ ଧରିବା ଲାଗି ଏକାଦିକ୍ରମେ ଆକାଶମାର୍ଗ, ଭୂଭାଗ ଓ ସମୁଦ୍ର ସ୍ତରରେ ଚାଲିଥିଲା ମିଶନ। ଖ୍ରୀଷ୍ଟମାସ ପୂର୍ବରୁ ଭେନେଜୁଏଲା ମିଶନକୁ ଗ୍ରୀନ ସିଗନାଲ ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଗତ ୩ତାରିଖରେ ୨୦ଟି ସାମରିକ ଘାଟିରୁ କାରାକାସ ଅଭିମୁଖେ ଯାଇଥିଲେ ଯୁଦ୍ଧ ବିମାନ। ଭେନେଜୁଏଲାରେ ଗ୍ରାଉଣ୍ଡ ଆଟାକ ଲାଗି ଆମେରିକୀୟ ବିମାନ କରିଥିଲେ ଲକ୍ଷ୍ୟଭେଦୀ ଷ୍ଟ୍ରାଇକ । ଆକାଶ ଓ ଭୂଭାଗରେ ସ୍ପଷ୍ଟ ସୂଚନା ଲାଗି ଆମେରିକା ନିୟୋଜିତ କରିଥିଲା ସାଇବର ୱେରଫେର ଟାକ୍ଟିସ । ମାଦୁରୋଙ୍କୁ ଧରିବା ଲାଗି ସିଆଇଏ କରିଥିଲା ନିର୍ଭୁଲ ଯୋଜନା। ମାଦୁରୋ ରହୁଥିବା ଫୋର୍ଟ ତିଉନାରେ ଲାଗିଥିବା ଧାତବ କବାଟକୁ କାଟିବା ଲାଗି ସେମାନେ ସାଥୀରେ ନେଇଥିଲେ ବ୍ଲୋଟର୍ଚ୍ଚ। କାରାକାସ ଉପରେ ଏୟାରଷ୍ଟ୍ରାଇକ ମାତ୍ରେ ମାଦୁରୋଙ୍କ ପ୍ରାସାଦରେ ପହଞ୍ଚିଥିଲେ ସୈନ୍ୟ।
ଆମେରିକୀୟ ଡେଲଟା ଫୋର୍ସର କାମକୁ ସ୍କ୍ରିନରେ ଦେଖୁଥିଲେ ଟ୍ରମ୍ପ। ସେତେବେଳକୁ ଆରାମରେ ନିଦ୍ରା ଯାଇଥିଲେ ମାଦୁରୋ ଓ ପତ୍ନୀ। ସୈନ୍ୟଙ୍କ ସମ୍ପର୍କରେ ସୂଚନା ପାଇ ମାଦୁରୋ ଆଉ ଏକ ରୁମକୁ ଚାଲିଯିବାକୁ ବସିଥିଲେ। ମାତ୍ର ତାହା ସମ୍ଭବ ହୋଇ ନଥିଲା। ଯଦି ସେ ଅନ୍ୟ ଏକ ରୁମକୁ ଚାଲିଯାଇଥାନ୍ତେ ତେବେ ସେହି ଘରର କବାଟକୁ ମାତ୍ର ୪୭ ସେକଣ୍ଡରେ ଉଡାଇ ଦେବାକୁ ଯୋଜନା ହୋଇଥିଲା। କାରାକାସର ମଧ୍ୟଭାଗରେ ଥିବା ଦୁର୍ଗ ପରି ପ୍ରାସାଦରେ ଆମେରିକୀୟ ସୈନ୍ୟ କିପରି ପ୍ରବେଶ କଲେ ତାହା ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହୋଇଛି। ମାଦୁରୋ, ପତ୍ନୀ ଓ ପୁଅଙ୍କୁ ଧରିବା ପରେ ସେମାନଙ୍କୁ USS ଇଓ ଜିମା ନୌଜାହାଜରେ ରଖାଯାଇଥିଲା। ପରେ ସେମାନଙ୍କୁ ଗୁଆଣ୍ଟନାମୋ ବେ’ରେ ଥିବା ଆମେରିକୀୟ ଘାଟିକୁ ନେବା ପରେ ମାଦୁରୋ ପରିବାରକୁ ଆମେରିକା ନିଆଯାଇଥିଲା।
କିଛି ମାସ ତଳୁ ଆରମ୍ଭ ହୋଇଥିବା ମିଶନରେ ସାମିଲ ଥିଲେ ୧୫୦ ବିମାନ ଓ ଗୁଇନ୍ଦା ସଂସ୍ଥା। ମାଦୁରୋଙ୍କ ଚଳପ୍ରଚଳ ସମ୍ପର୍କରେ ସୂଚନା ପାଇବା ପାଇଁ ୨୦୨୫ ଅଗଷ୍ଟରେ ଆମେରିକା ନିୟୋଜିତ କରିଥିଲା ଏକ କ୍ଷୁଦ୍ର ଟିମ୍। ଅକ୍ଟୋବରରେ ଏନେଇ ବିଧିବଦ୍ଧ ଦାୟିତ୍ବ ସିଆଇଏକୁ ଦିଆଗଲା। ୨୦୨୫ ଡିସେମ୍ବରରୁ ଆରମ୍ଭ ହୋଇଥିଲା ଅପରେସନ ଆବସଲ୍ୟୁଟ ରିଜଲଭ୍। କାରାକାସ ଉପରେ ହମଲା ପୂର୍ବରୁ ଏୟାର ଡିଫେନ୍ସ ସିଷ୍ଟମକୁ ଟାର୍ଗେଟ କରାଯାଇଥିଲା। ଏହା ସହ କାରାକାସରେ ପାୱାର କଟ୍ କରିଦିଆଯାଇଥିଲା।

