ସମ୍ବଲପୁରରେ ହେବ କ୍ରୀଡ଼ା ବିକାଶ: ୧୨୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

1 min read

ସମ୍ବଲପୁର: ସମ୍ବଲପୁରରେ କ୍ରୀଡା କ୍ଷେତ୍ରରେ ବିକାଶ ପାଇଁ ୧୨୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁର୍ଲାରେ ୩୨ କୋଟି ବ୍ୟୟ ଅଟକଳରେ ନିର୍ମିତ ବୁର୍ଲା ଇନଡୋର ଷ୍ଟାଡିୟମର ଉଦଘାଟନ କରିଛନ୍ତି l  ଏଥିସହ ୧୭ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଫୁଟବଲ ପ୍ରଶିକ୍ଷଣ କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି । ୟୁନିଭର୍ସିଟିରେ ସ୍ପୋର୍ଟସ କମ୍ପ୍ଲେକ୍ସର ନିର୍ମାଣ ପାଇଁ ପ୍ରାୟ ୭୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ।

5T ଅଧୀନରେ ହେଉଥିବା ପ୍ରକଳ୍ପରେ ଲୋକଙ୍କୁ କେମିତି ସୁଫଳ ମିଳିବ ସେଥିପାଇଁ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାରେ ଦିନକୁ ଦିନ ଫୁଟବଲ ପ୍ରତି ଯୁବବର୍ଗଙ୍କର ବଢୁଥିବା ଆଗ୍ରହକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏଥିପାଇଁ ଫୁଟବଲ ଏକାଡେମୀର ପ୍ରତିଷ୍ଠା କରାଯାଉଛି । ଏଥିରେ ଫିଫା ବ୍ୟବହାର କରୁଥିବା ଟର୍ଫ ଓ ଫ୍ଲଡଲାଇଟ ସିଷ୍ଟମ ରହିବ । ବୁର୍ଲାରେ ହୋଇଥିବା ଇନଡୋର ଷ୍ଟାଡିୟମରେ ୪୦୦ ଲୋକଙ୍କ ବସିବାର କ୍ଷମତା ରହିଥିବା ବେଳେ, ସେଣ୍ଟ୍ରାଲ ଏସିର ବ୍ୟବସ୍ଥା କରାଯାଇଛି । ଏହାସହ ଫାଷ୍ଟଏଡ ରୁମ୍, ଚେଞ୍ଜିଂ ରୁମ୍, ଜିମ୍ ରହିଛି । କ୍ୟାରମ, ଚେସ ଭଳି ଖେଳ ପାଇଁ ମଧ୍ୟ ବ୍ୟବସ୍ଥା ରହିଛି । ଖେଳାଳିଙ୍କୁ ଅନ୍ତର୍ଜାତୀୟ ସ୍ତରର ପ୍ରଦର୍ଶନ ପାଇଁ ଏହି ଇନଡୋର ଷ୍ଟାଡିୟମ ବେଶ ସହାୟକ ହେବ । ବିଶ୍ବବିଦ୍ୟାଳୟରେ ହେବାକୁ ଥିବା ସ୍ପୋଟ୍ସ କମ୍ପେକ୍ସରେ ଏକ ହକି ଷ୍ଟାଡିୟମର ମଧ୍ୟ ନିର୍ମାଣ ହେବ । ଯେଉଁଥିରେ ଏକାଥରକେ ୩ ହଜାର ଲୋକ ବସିପାରିବେ । କାର୍ଯ୍ୟକ୍ରମକୁ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ପରିଚାଳନା କରିଥିଲେ ।