କୁମ୍ଭମେଳାରେ କରୋନା ତାଣ୍ଡବ, ଅଂଶଗ୍ରହଣକାରୀଙ୍କୁ ନେଇ ବଢ଼ିଲା ଓଡ଼ିଶାର ଚିନ୍ତା

1 min read
SRC Issued Fresh Guidelines For Kumbha Mela Participator From Odisha

ଭୁବନେଶ୍ୱର: ଉତ୍ତରାଖଣ୍ଡର ହରିଦ୍ୱାରର ପ୍ରତିଷ୍ଠିତ କୁମ୍ଭ ମେଳାରେ କରୋନା ବିସ୍ଫୋରଣ ସମସ୍ତଙ୍କ ନିଦ ହଜାଇ ଦେଇଛି । ୨ଟି ଶାହି ସ୍ନାନ ସରିଥିବା ବେଳେ ସଂକ୍ରମଣକୁ ଦେଖି ପ୍ରଧାନମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଛନ୍ତି । ଶ୍ରଦ୍ଧାଳୁଙ୍କୁ କୁମ୍ଭକୁ ନଆସିବା ଲାଗି ଅନୁରୋଧ କରିଛନ୍ତି ସନ୍ଥ, ସନ୍ୟାସୀ । କୁମ୍ଭମେଳାରେ କରୋନାର ବିସ୍ଫୋରଣ ପରେ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର । ଉତ୍ତରାଖଣ୍ଡ ସରକାରଙ୍କ ପାଖରେ ଓଡ଼ିଶାରୁ କେତେଜଣ କୁମ୍ଭରେ ଯୋଗ ଦେଇଛନ୍ତି ସେନେଇ ତଥ୍ୟ ରହିଛି ।

ଉକ୍ତ ତଥ୍ୟ ଆଧରରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମ ଶ୍ରଦ୍ଧାଳୁଙ୍କ ସହ ସମ୍ପର୍କ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ସମସ୍ତଙ୍କ ସହ ଯୋଗାଯୋଗ କରି ସେମାନେ ରହୁଥିବା ସ୍ଥାନ, ଯାତ୍ରା ବିବରଣୀ ସଂଗ୍ରହଣ ସହ ଓଡ଼ିଶା ଫେରିବା ପୂର୍ବରୁ କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ପ୍ରତି ଅଂଶଗ୍ରହଣକାରୀଙ୍କୁ ବ୍ୟକ୍ତିଗତ ଭାବେ ଟ୍ରାକ୍ କରାଯାଇ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରାଯିବ ।

ଏଥିସହ ଓଡ଼ିଶା ଫେରିଲା ପରେ ସମସ୍ତ କୁମ୍ଭ ଅଂଶଗ୍ରହଣକାରୀଙ୍କୁ ୧୪ ଦିନ ଲାଗି ସଂଗରୋଧରେ ରଖାଯିବ । ସମସ୍ତେ କୋଭିଡ୍ ଆରଟି-ପିସିଆର୍ ଟେଷ୍ଟ କରିବା ବାଧ୍ୟତାମୂଳକ କରାଯାଇଛି । କୋଭିଡ୍ ଲକ୍ଷଣ ଦେଖାଦେଲେ ତୁରନ୍ତ ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ସମ୍ପର୍କ କରିବେ । ଆଶା ଓ ଅଙ୍ଗନୱାଡ଼ି କର୍ମୀ ମଧ୍ୟ କ୍ୱାରେଣ୍ଟାଇନ୍ ଅବଧିରେ ନିୟମିତ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବେ । କୁମ୍ଭ ଅଂଶଗ୍ରହଣକାରୀ ନିଜେ ସଂଗରୋଧରେ ରହିବା ସହ ସ୍ଥାନୀୟ ଅଧିକାରୀଙ୍କୁ ଜଣାଇବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ଜିଲ୍ଲା ଓ ମହାନଗର ନିଗମ ଅଞ୍ଚଳରେ କୋଭିଡ୍ କଟକଣାକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ଏଥିସହ ପ୍ରତିଦିନ କୋଭିଡ୍ ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ଓ ଏସଆରସିଙ୍କ କାର୍ଯ୍ୟାଳୟକୁ ଅବଗତ କରାଇବା ଲାଗି ଜିଲ୍ଲାପାଳମାନଙ୍କୁ କୁହାଯାଇଛି ।

ଏଥିସହ ପଢ଼ନ୍ତୁ- କୁମ୍ଭରେ ବେକାବୁ କରୋନା! ନିରଞ୍ଜନୀ ଆଖଡାର ୨୨ ସାଧୁ କରୋନା ସଂକ୍ରମିତ

Leave a Reply