ଅନଲକ ମୁହାଁ ଓଡ଼ିଶା: ଖୋଲିବ ହୋଟେଲ, ମଲ, ସି-ବିଚ୍

ଭୁବନେଶ୍ୱର: ଅଗଷ୍ଟ ଗାଇଡଲାଇନ ନେଇ ବଡ଼ ଘୋଷଣା କଲେ ଏସଆରସି ପ୍ରଦୀପ ଜେନା  । ଖୋଲିବ ପାର୍କ ଓ ବେଳାଭୂମି  । ହୋଟେଲ, ରେଷ୍ଟୁରାଣ୍ଟ ଏବଂ ରାସ୍ତାକଡ଼ ଦୋକାନ ଆଦି ଖୋଲିବା ନେଇ ଅନୁମତି ଦେଲେ ରାଜ୍ୟ ସରକାର  । କିନ୍ତୁ ରେଷ୍ଟୁରାଣ୍ଟ ଏବଂ ହୋଟେଲ ଖୋଲିବା ସହ କୋଭିଡ଼ କଟକଣା ବଳବତ୍ତର ରହିବ   । ପଚାଶ ପ୍ରତିଶତ ଗ୍ରାହକରେ ଏହି ସବୁ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର  ।

ଅଗଷ୍ଟ ଗାଇଡଲାଇନରେ ସପ୍ତାହିକ ହାଟ, ବଜାର ଖୋଲିବ, ସୁଇମିଂ ପୁଲ ମଧ୍ୟ ଖୋଲିବ ।  ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ସକାଳ ୬ ପର୍ଯ୍ୟନ୍ତ ବଳବତ୍ତର ରହିବ ଅଗଷ୍ଟ କଟକଣା  । ସେହିପରି ରାତି ୮ରୁ ସକାଳ ୬ ପର୍ଯ୍ୟନ୍ତ ସାରା ରାଜ୍ୟରେ ରାତ୍ରୀକାଳିନ କର୍ଫ୍ୟୁ ସମଗ୍ର ରାଜ୍ୟରେ ବଳବତ୍ତର ରହିବ  ।  ଭୁବନେଶ୍ୱର,କଟକ ଓ ପୁରୀରେ ଶନିବାର ରବିବାର ଦୋକାନ, ବଜାର ପୂର୍ବଭଳି  ବନ୍ଦ ରହିବ  ।

ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ଉପରେ କଟକଣା ରଖିଛନ୍ତି ସରକାର  ।  ଆହାର କେନ୍ଦ୍ର ଖୋଲା ରହିବ ସମସ୍ତ ମଲ୍ ଖୋଲିବ   । ସେହିପରି ପୂର୍ବରୁ ବନ୍ଦ ରହିଥିବା  ସିନେମା ହଲ, ପ୍ରେକ୍ଷାଳୟ ଆଦି ମଧ୍ୟ ଖୋଲାଯିବ  । କିନ୍ତୁ ହଲ, ପ୍ରେକ୍ଷାଳୟ ଆଦିରେ ମଧ୍ୟ ୫୦ ପ୍ରତିଶତ କର୍ମଚାରୀରେ ଖୋଲିବ ବୋଲି ଘୋଷଣା କରିଛନ୍ତି ଏସଆରସି  ।

ସେହିପରି ରାଜନୈତିକ କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରା ଉପରେ କଟକଣା ସାମାନ୍ୟ କୋହଳ ହୋଇଛି  । ଶୋଭାଯାତ୍ରା, ଶିଳାନ୍ୟାସ ଏବଂ ଅନ୍ୟାନ ରାଜନୈତିକ କାର୍ଯ୍ୟକ୍ରମ ଅଳ୍ପ ସଂଖ୍ୟକ ଲୋକଙ୍କୁ ନେଇ ଚାଲିପାରିବ  । ଏହି ସବୁ କାର୍ଯ୍ୟକ୍ରମରେ ୩୦ ଜଣରୁ ଅଧକ ଲୋକଙ୍କୁ ବାରଣ କରାଯାଇଛି  । ଯାତ୍ରା, ରଙ୍ଗମଞ୍ଚ, ପ୍ରେକ୍ଷାଳୟ ଏବଂ ସିନେମା ହଲ ଆଦି ମଧ୍ୟ କୋଭିଡ କଟକଣା ଅନୁଯାୟୀ ଖୋଲିବ ବୋଲି ଅନୁମତି ପ୍ରଦାନ କରିଛନ୍ତି ସରକାର  ।

ଇଣ୍ଡୋର, ଆମୋଦପ୍ରମୋଦ, ଓ୍ବାଟର ପାର୍କ, ମ୍ୟୁଜିୟମ, ପ୍ରତ୍ନତାତ୍ତ୍ବିକ ସ୍ଥଳୀ, ଚିଡିଆଖାନା, ଦୋଳି ଆଦି ଖୋଲାଯାଇପାରିବ । ଓଲା, ଉବେର, ଟାକ୍ସି ସେବା ଜାରି ରହିବ କିନ୍ତୁ ସିଟ ଅନୁସାରେ ଯାତ୍ରୀ ପରିବହନ ହେବ । ରାତ୍ରୀକାଳୀନ କର୍ଫ୍ୟୁ ଓ ସପ୍ତାହାନ ସଟଡାଉନରେ ପୂର୍ବ ନିର୍ଦ୍ଦେଶ ବଳବତ୍ତର ରହିବ । ସମସ୍ତ କାର୍ଯ୍ୟାଳୟ, ଦୋକାନବଜାର ଓ ପ୍ରତିଷ୍ଠାନ ବନ୍ଦ ରହିବ ।

ପୋଲିସ, ସରକାରୀ କର୍ମଚାରୀ, ସ୍ବଚ୍ଛତାରେ ନିୟୋଜିତ କର୍ମଚାରୀ, ବିମାନବନ୍ଦର, ପରିବହନ ସେବାରେ ନିୟୋଜିତ କର୍ମଚାରୀଙ୍କ ଲାଗି କଟକଣା ରହିବ ନାହିଁ । ଔଷଧ ଦୋକାନ, ଯାତ୍ରୀ ପରିବହନ ସେବା ଜାରି ରହିବ । ବସଷ୍ଟାଣ୍ଡ, ବିମାନବନ୍ଦର ଓ ରେଳଷ୍ଟେସନକୁ ଯାଉଥିବା ଗାଡି ଚଳାଚଳ କରିପାରିବ । ଏଲପିଜି, ପେଟ୍ରୋଲ ପମ୍ପ ଆଦି ଖୋଲା ରହିବ । ମାଛ, ମାଂସ, ଅଣ୍ଡା, ଗ୍ରୋସରୀର ହୋମ ଡେଲିଭରି କରାଯାଇପାରିବ । ସ୍ବିଗି, ଜମାଟୋ ଖାଦ୍ୟର ହୋମଡେଲିଭରି କରିପାରିବେ ।

Leave a Reply