ସରିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା: ବାଲେଶ୍ୱରରୁ ମୟୂରଭଞ୍ଜ ଆଡ଼କୁ ମୁହାଁଇଛି ବାତ୍ୟା ‘ୟାସ୍’

ଭୁବନେଶ୍ୱର: ବାତ୍ୟା ‘ୟାସ୍’ର ସମ୍ପୂର୍ଣ୍ଣ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି । ଏହା ଏବେ ସ୍ଥଳଭାଗରେ ଆଗକୁ ଆଗକୁ ମାଡ଼ି ଚାଲିଛି । ଫଳରେ ଭଦ୍ରକ, ବାଲେଶ୍ଵରର ବହାନଗା, ସଦର, ରେମୁଣାରେ ବର୍ଷା କମିଛି । କିନ୍ତୁ ନୀଳଗିରିରେ ବର୍ଷା ଓ ପବନ ବଢୁଛି । ତେବେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁରରେ ବଡ଼ ଧରଣଣ କ୍ଷୟକ୍ଷତି ହୋଇଥିବା କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । କିଛି ସ୍ଥାନରେ ଅଳ୍ପ ଗଛ ପଡ଼ିଥିବା ବେଳେ ଆଜି ରାତି ସୁଦ୍ଧା ସଫା ହୋଇଯିବ। ନୀଳଗିରିରେ ଅଧିକ ଗଛ ଭାଙ୍ଗିଛି । ମୟୂରଭଞ୍ଜ ଜିଲ୍ଲାପାଳ ବୁଢ଼ାବଲଙ୍ଗ ନଦୀ ପାଖରେ ସ୍ଥାନାନ୍ତରଣ ଚଳାଇଛନ୍ତି । ବାତ୍ୟା ୨ ଘଣ୍ଟା ଭିତରେ ବାଲେଶ୍ଵରରୁ ବାହାରି ମୟୁରଭଞ୍ଜରେ ପ୍ରବେଶ କରିବ। ୧୦୦ କି.ମିରୁ ଅଧିକ ବେଗରେ ପବନ ବହିଛି । ଶିମିଳିପାଳ ରେଞ୍ଜରେ ବାତ୍ୟାର ସ୍ଥିତି ଅନୁଧ୍ୟାନ କରାଯାଉଛି। ବାଲେଶ୍ଵରରେ ଗୋଟାଏ ଯୁବକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରୁ ଯିବାକୁ ବାରଣ କରାଯିବା ସତ୍ତ୍ୱେ ସେ ବାହାରିଥିଲେ । ଏବଂ ବାଟରେ ତାଙ୍କ ଉପରେ ଗଛ ପଡ଼ିଥିବା ସୂଚନା ମିଳିଛି । ଏ ନେଇ ତହସିଲଦାର ସବିଶେଷ ସୂଚନା ଦେବେ । ସେହିଭଳି କେନ୍ଦୁଝରରେ ଲୋକଙ୍କ ଉପରେ ଗଛ ପଡ଼ିଥିବା ସୂଚନା ରହିଛି ଏ ନେଇ ଜିଲ୍ଲାପାଳ ରିପୋର୍ଟ ଦେବେ । ବହୁତ ଗାଁରେ ପାଣି ପଶିଛି । ୪ ମିଟର ପାଣି ଆସିଛି । ବହନଗା, ରେମୁଣା, ବାଲେଶ୍ଵର ସଦର, ଧାମରାରେ ପାଣି ପଶିଛି । ଦିନେ ଦୁଇ ଦିନ ଭିତରେ କ୍ଷତି ହିସାବ ଜଣାପଡ଼ିବ। ପାଣି ଘେରରେ ଥିବା ଲୋକଙ୍କ ପାଇଁ ୩ ଦିନ ପାଇଁ ରନ୍ଧା ଖାଦ୍ୟ ଦେଇପାରିବେ ଜିଲ୍ଲାପାଳ । ତେବେ କେଉଁଠି ବି ମୋବାଇଲ ସେବା ଠପ୍ ହୋଇନଥିବା କହିଛନ୍ତି ଏସ୍ଆରସି ।

ଏଥିସହିତ ପଢ଼ନ୍ତୁ: ଲ୍ୟାଣ୍ଡଫଲ୍ ସମୟରେ ଘଣ୍ଟା ପ୍ରତି ପବନର ବେଗ ସର୍ବାଧିକ ୧୫୦ କିଲୋମିଟର ରହିବ

Leave a Reply