ରାହୁଲକୁ ଦୁଇଥର ବଞ୍ଚାଇଛନ୍ତି ଶ୍ରୀଜଗନ୍ନାଥ, ପୁରୀରେ ବି ହଜିଥିଲା ରାହୁଲ

ଚମ୍ପା:  ଛତିଶଗଡ଼ର ୧୧ବର୍ଷର ବାଳକ ରାହୁଲ, ଯିଏ ବୋରଓ୍ୱେଲ ଭିତରୁ ପୁର୍ନଜନ୍ମ ପାଇ ଫେରିଛି । ଦୀର୍ଘ ୫ ଦିନ ଧରି ୧୦୪ଘଣ୍ଟାର ମେଗା ଅପରେସନ ପରେ ଉଦ୍ଧାର ହୋଇଥିଲା ରାହୁଲ । ତାକୁ ଥରେ ନୁହେଁ ଦୁଇ ଦୁଇ ଥର ରକ୍ଷା କରିଛନ୍ତି ଶ୍ରୀଜଗନ୍ନାଥ । ପୂର୍ବରୁ ମଧ୍ୟ ଥରେ ପୁରୀରେ ହଜିଯାଇଥିଲା ହୋଇଯାଇଥିଲା  ରାହୁଲ ଏବଂ ବହୁ ସମୟ ପରେ ଶ୍ରୀମନ୍ଦିର ନିକଟରୁ ମିଳିଥିଲା  ।  ଏବେ ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅଛି ରାହୁଲ । ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା କଥା, ରାହୁଲର ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି, ପୂର୍ବାପେକ୍ଷା ଭଲ ଅଛି  । ହେଲେ ଶରୀରରେ ଇନଫେକ୍ସନ ହୋଇଛି ।

ରଖେ ହରି ତ ମାରେ କିଏ । ରାହୁଲକୁ ୨ୟ ରକ୍ଷା କରିଛନ୍ତି କାଳିଆ ଠାକୁର । ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଯୋଗୁଁ ସେ ତାଙ୍କ ପୁଅ ପୁଣି ଥରେ ଫେରି ପାଇଛନ୍ତି ରାହୁଲର ପିତାମାତା। ରାହୁଲର ଉଦ୍ଧାର ପରେ ଏକ ଭାବବିହ୍ବଳ ପ୍ରତିକ୍ରିୟା ରଖିଛନ୍ତି ରାହୁଲଙ୍କ ବାପା ଲାଲାରାମ ସାହୁ । ସେ କହିଛନ୍ତି, ଲକଡାଉନ ପୂର୍ବରୁ ପୂରା ପରିବାର ସହ ୧୫ ଦିନ ଲାଗି ପୁରୀ ବୁଲିବା ପାଇଁ ଆସିଥିଲେ। ସମୁଦ୍ରରେ ସ୍ନାନବେଳେ ହଠାତ ରାହୁଲ କେଉଁଆଡେ ନିଖୋଜ ହୋଇଯାଇଥିଲା । କିଛି ସ୍ଥାନୀୟ ଯୁବକ ଫଟୋ ଧରି ଅନେକ ଖୋଜା ଖୋଜି କରିଥିଲେ  ।  ଦିନ ୧୦ଟାରୁ ନିଖୋଜ ରାହୁଲ ସଂଧ୍ୟା ୫ଟାରେ ଶ୍ରୀମନ୍ଦିର ଦ୍ୱାର ନିକଟରେ ମିଳିଥିଲା । ବୋରୱେଲରେ ପଡିଯିବାପରେ ପୂରା ପରିବାର ଶ୍ରୀଜଗନ୍ନାଥଙ୍କୁ ଆକୁଳ ନିବେଦନ କରିଥିଲେ  ।  କେମିତି ସୁରକ୍ଷିତ ରାହୁଲ ବୋରୱେଲରୁ ବାହାରି ଆସିବ ସେ ନେଇ ପ୍ରାର୍ଥନା କରିଥିଲେ  । ଶ୍ରୀଜଗନ୍ନାଥ ତାଙ୍କ ଡାକ ଶୁଣିଛନ୍ତି ବୋଲି କହିଛନ୍ତି ଲାଲାରାମ  । ଦୁଇ ଦୁଇ ଥର ନିଖୋଜ ପରେ ରାହୁଲକୁ ଫେରି ପାଇବା ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଛଡା ଆଉ କିଛି ନୁହେଁ ବୋଲି କହିଛନ୍ତି ଲାଲରାମ  ।

ରାହୁଲ ଏବେ ସୁସ୍ଥ ଅଛି । ହେଲେ ଆହୁରି କିଛି ଯାଞ୍ଚ ରିପୋର୍ଟ ଆସିବା ବାକି ରହିଛି । ପାଣିରେ ଦୀର୍ଘ ସମୟ ଧରି ରହିବା ଫଳରେ ରାହୁଲର ରକ୍ତ ମଧ୍ୟ ସଂକ୍ରମିତ ସହ ବ୍ୟାକ୍ଟେରିଆଲ ଇନଫେକସନ ହୋଇ ଯାଇଛି। । ସପ୍ତାହେ ପର୍ଯ୍ୟନ୍ତ ଚିକିତ୍ସା ଚାଲିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି । ପୁଅକୁ ପାଇ ଏବେ ପରିବାରରେ ଖୁସିର ମାହୋଲ ରହିଛି । ରାହୁଲକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ଆଜି ସେହି ବୋରଓ୍ବେଲ ଓ ଉଦ୍ଧାର କାର୍ଯ୍ୟ ପାଇଁ ଖୋଳାଯାଇଥିବା ସୁଡଙ୍ଗକୁ ପୋତା ଯାଉଛି ।