ଆଜି ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ଅଳଙ୍କାର ; ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାର୍ଗଦର୍ଶିକା ଜାରି

ନନ୍ଦିଘୋଷ ବ୍ୟୁରୋ : ଆଜି ଅସ୍ଥାୟୀ ରତ୍ନଭଣ୍ଡାରରୁ ସ୍ଥାୟୀ ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ସମସ୍ତ ଅଳଙ୍କାର । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଛି ମାର୍ଗଦର୍ଶିକା । ପୂର୍ବ ନିଷ୍ପତ୍ତି ଅନୁସାରେ ବଡି ଭୋରରୁ ଶ୍ରୀମନ୍ଦିର ଦ୍ୱାରାଫିଟା ଯିବା ସହ ଦୈନିକ ନୀତିକାନ୍ତି ଜାରି ରହିଛି। ଭିତର ଶୋଧ ନୀତି ଶେଷ ହେବା ସହ ମଙ୍ଗଳ ଆଳତି, ତଡପ ଲାଗି ନୀତି ଶେଷ ହୋଇ ଅବକାଶ ପୂଜା ନୀତି ଜାରି ରହିଛି। ସକାଳ ୧୦ଟାରୁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ କରାଯିବା। ପରେ ନାଟମଣ୍ଡପ ଓ ଜଗମୋହନ ଶୋଧ କରାଯିବ। ଏହା ପରେ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ୍ ବା ଖଟଶେଜ ଓ ଚାଙ୍ଗଡା ଘରୁ ରତ୍ନ ଅଳଙ୍କାରକୁ ସୁରକ୍ଷିତ ଭାବେ ମୁଖ୍ୟ ଭଣ୍ଡାର ଘରକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଧୀକୃତ ୧୧ ଜଣିଆ କମିଟି ଗଠନ କରାଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳ, ଏସପି, ଏଏସଆଇ ଅଧିକାରୀ, ରତ୍ନଭଣ୍ଡାର ସବ କମିଟି ସଦସ୍ୟ ଗଣେଶ ଦାସ ମହାପାତ୍ର, ଦେଉଳ କରଣ, ତଢଉ କରଣ, ଭଣ୍ଡାର ମେକାପ, ରତ୍ନଭଣ୍ଡାର ତଦାରଖ କମିଟିର ୨ଜଣ ସଦସ୍ୟ ଜଷ୍ଟିସ ବିଶ୍ୱନାଥ ରଥ ଓ ସୁଦର୍ଶନ ପଟ୍ଟନାୟକ, ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଗଜପତି ମହାରାଜାଙ୍କ ପ୍ରତିନିଧିଙ୍କ ସମେତ ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକ, ଅତରିକ୍ତ ମୁଖ୍ୟ ଯନ୍ତ୍ରୀ କମିଟିରେ ସାମିଲ୍ ରହିଛନ୍ତି। ମହାପ୍ରସାଦ ଓ ଭୋଗ ପାଇବାକୁ ଇଚ୍ଛୁକ ଭକ୍ତମାନେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଦେଇ ଆନନ୍ଦ ବଜାରକୁ ଯାଇ ପାରିବେ। ରତ୍ନଭଣ୍ଡାର ସ୍ଥାନାନ୍ତର କାର୍ଯ୍ୟ ସମାପ୍ତ ପରେ ପ୍ରବେଶ କଟକଣା ପ୍ରତ୍ୟାହାର ତଥା ଦର୍ଶନ ସ୍ୱାଭାବିକ କରାଯିବ।ପୋଲିସ ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିରର ଚାରି ଦ୍ଵାରରେ ଭକ୍ତଙ୍କୁ କଡା ଚେକିଂ କରି ଛଡାଯାଉଛି।