ରାଷ୍ଟ୍ରପତି ଗୋଟାବାୟା ଗୋ-ବ୍ୟାକ ଧ୍ୱନିରେ କମ୍ପୁଛି ଶ୍ରୀଲଙ୍କା, ଆନ୍ଦୋଳନରେ ସାମିଲ ବୌଦ୍ଧ ସନ୍ନ୍ୟାସୀ

କଲମ୍ବୋ: ଘନୀଭୂତ ହେଉଛି ଶ୍ରୀଲଙ୍କା ସଂକଟ । ସାରା ଦେଶରେ ଜାରି ରହିଛି ବିକ୍ଷୋଭ ଆନ୍ଦୋଳନ । ରାସ୍ତାଘାଟରେ ସରକାର ବିରୋଧୀ ସ୍ୱର । ତେଣେ ଦେଶରେ ଦରବୃଦ୍ଧି ତୀବ୍ର ଆକାର ଧାରଣ କରିଛି । ଆନ୍ଦୋଳନକାରୀଙ୍କୁ ଘଉଡାଇବା ଲାଗି ପୋଲିସ ପ୍ରୟୋଗ କରିଛି ଲୁହବୁହା ଗ୍ୟାସ । ଶ୍ରୀଲଙ୍କାରେ ଚାଲିଥିବା ଏହି ଆନ୍ଦୋଳନରେ ବିଭିନ୍ନ ସ୍ଥାନରେ ସାମିଲ ହୋଇଛନ୍ତି ଶହ ଶହ ଛାତ୍ର । ଦେଶରେ ବର୍ତ୍ତମାନ ଖାଦ୍ୟ, ଇନ୍ଧନ, ମେଡିସିନର ବ୍ୟାପକ ଅଭାବ ଦେଖାଦେଇଛି । ଆନ୍ଦୋଳନକାରୀମାନେ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କ ଇସ୍ତଫା ଦାବିରେ ଅଟଳ ଅଛନ୍ତି ।

ଶ୍ରୀଲଙ୍କାରେ ହୋଇଥିବା ଆନ୍ଦୋଳନରେ ବହୁ ସଂଖ୍ୟକ ବୌଦ୍ଧ ସନ୍ନ୍ୟାସୀ ସାମିଲ ହୋଇଛନ୍ତି । ସାରା ଦେଶରେ ଆନ୍ଦୋଳନକାରୀମାନେ ପ୍ଲାକାର୍ଡ ପ୍ରଦର୍ଶନ କରି ଗୋଟାବାୟା ଗୋ ବ୍ୟାକ ଧ୍ୱନି ଦେଇଛନ୍ତି । ଶ୍ରୀଲଙ୍କା ସେଣ୍ଟ୍ରାଲ ବ୍ୟାଙ୍କ ସୁଧହାର ୭୦୦ ବେସିସ ପଏଣ୍ଟ ବୃଦ୍ଧି କରିଛନ୍ତି । ତେଣେ ଦେଶର ଋଣଭାର ୫୧ ବିଲିୟନ ଡଲାର ହୋଇଥିବା ଯୋଗୁ ବହୁ ଆନ୍ତର୍ଜାତିକ ସଂସ୍ଥା ଶ୍ରୀଲଙ୍କାର ରେଟିଂକୁ ହ୍ରାସ କରିଛନ୍ତି ।