ଶ୍ରୀଲଙ୍କାରେ ଥମୁନି ହିଂସା, ନୌସେନାର ଶିବିରରେ ଶରଣ ନେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କାରେ ଥମିବାରେ ନାଁ ନେଉନାହିଁ ସଙ୍କଟ । ଦିନକୁ ଦିନ ବଢ଼ିବାରେ ଲାଗିଛି ହିଂସା । ଗତକାଲି ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ନିଜ ପଦରୁ ଇସ୍ତଫା ଦେବା ପରେ ଆନ୍ଦୋଳନକାରୀ ତାଙ୍କ ବାସ ଭବନ ଉପରେ ବୋମାମାଡ଼ କରିଥିଲେ । ତେବେ ପରିସ୍ଥିତି ଏପରି ହୋଇଛି କି ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଓ ତାଙ୍କ ପରିବାରକୁ ସୁରକ୍ଷିତ ଉଦ୍ଧାର କରାଯାଇତ୍ରିଙ୍କୋମାଲିରେ ଥିବା ନୌସେନାର ଶିବିରରେ ଆଶ୍ରୟ ନେଇଛନ୍ତି । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ନୌସେନାର ଶିବିରରେ ଶରଣ ନେଇଥିବା ଖବର ସାମ୍ନାକୁ ଆସିବା ପରେ ସେଠାରେ ମଧ୍ୟ ଲୋକମାନେ ବିରୋଧ କରିବା ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସନ୍ତୁଷ୍ଟ ନଥିବା ନାଗରିକ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରିଲେ,ସେତେବେଳେ ପ୍ରଧାନମନ୍ତ୍ରୀଙ୍କ ସମର୍ଥକ ସେମାନଙ୍କ ଉପରେ ଆକ୍ରମଣ କଲେ । ଏହାପରେ ଆରମ୍ଭ ହୋଇଥିଲା ହିଂସାର ଚକ୍ର । ପ୍ରଧାନମନ୍ତ୍ରୀଙ୍କ ସମର୍ଥକଙ୍କ ହିଂସାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ ଓ ସାଧାରଣ ନାଗରିକ । ରାଜପକ୍ଷେଙ୍କ ସମର୍ଥକ ରାଜଧାନୀ କଲମ୍ବୋରେ ହିଂସା ଭିଆଇ ଫେରୁଥିବା ବେଳେ ସେମାନଙ୍କ ଉପରେ ହୋଇଥିଲା ପାଲଟା ଆକ୍ରମଣ ।

ଏହାପରେ ହିଂସା ଦେଶର ଅନ୍ୟ ଭାଗକୁ ବ୍ୟାପିଥିଲା । କଲମ୍ବୋରେ ଜଣେ ପୂର୍ବତନ ମନ୍ତ୍ରୀ ଜନସନ ଫର୍ଣ୍ଣାଡୋଙ୍କୁ ହିଂସ୍ର ଭିଡ଼ ହତ୍ୟା କରିଛି । ଜନସନଙ୍କ କାରକୁ ବିକ୍ଷୋଭକାରୀ ଘେରି ଯାଇଥିଲେ । ସେମାନେ କାର ସମେତ ଜନସନଙ୍କୁ ରାସ୍ତା କଡ଼ରେ ଥିବା ହ୍ରଦକୁ ଫୋପାଡି ଦେଇଥିଲେ । ସେହିଭଳି ଜଣେ ସାଂସଦକୁ ବିକ୍ଷୋଭକାରୀଙ୍କ ଉପରକୁ ଗୁଳିମାଡ କରିବା ମହଙ୍ଗା ପଡିଛି । ସାଂସଦ ଅମରକିର୍ତ୍ତି ଅଥୁରକୋଲା ବିକ୍ଷୋଭକାରୀଙ୍କ ଉପରକୁ ଗୁଳି ମାଡ଼ କରିଥିଲେ । ପରେ ବିକ୍ଷୋଭକାରୀଙ୍କ କବଳରୁ ବଂଚିବା ପାଇଁ ସେ ଗୋଟିଏ କୋଠାରେ ଲୁଚିଥିଲେ । ମଙ୍ଗଳବାର ଦିନ ସେହି କୋଠାରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବିକ୍ଷୋଭକାରୀ ମୋଟ ୧୨ ଜଣ ମନ୍ତ୍ରୀଙ୍କ ଘର ଜାଳିଦେଇଥିବା ବେଳେ କିଛି ସାଂସଦ ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି ।

ବିରୋଧି ଦଳ ଦେଶବ୍ୟାପୀ ହିଂସା ପାଇଁ ସରକାରକୁ ଦାୟୀ କରିଛନ୍ତି । ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ଉପରେ ଆକ୍ରମଣ କାରଣରୁ ହିଂସା ବଢିଛି ବୋଲି ବିରୋଧୀ ଦଳ ଦାବି କରୁଛନ୍ତି । ଏଣେ ଭାରତ ସରକାର ଶ୍ରୀଲଙ୍କାରେ ଥିବା ଭାରତୀୟଙ୍କ ପାଇଁ ହେଲପଲାଇନ୍ ଜାରି କରିଛନ୍ତି ।