ବାତ୍ୟାରେ ପ୍ରଭାବିତ ହୋଇପାରେ ୭ ଜିଲ୍ଲା: ନିୟୋଜିତ ହେବେ ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ

1 min read

ଭୁବନେଶ୍ୱର: ବାତ୍ୟା ଗୁଲାବକୁ ନେଇ ଏସଆରସିଙ୍କ ଜରୁରୀ ପ୍ରେସମିଟ  । ସମ୍ଭାବ୍ୟ ବାତ୍ୟା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଏସଆରସି ପ୍ରଦୀପ ଜେନା ଏନେଇ ସତର୍କ ସୂଚନା ଜାରି କରିଛନ୍ତି  । ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟାର ସାମାନ୍ୟ ପ୍ରଭାବ ପଡିପାରେ  ।  ଏନେଇ ସରକାର ସଜାଗ ଏବଂ ସଚେତନ ରହିଛନ୍ତି  । ବାତ୍ୟା ପ୍ରଭାବରେ ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ହୋଇପାରେ, ତଳିଆ ଅଞ୍ଚଳରେ ପାଣି ଜମିପାରେ  ବୋଲି ପ୍ରେସମିଟରେ କହିଛନ୍ତି ଏସଆରସି ପ୍ରଦୀପ ଜେନା  ।

ସେପଟେ ବାତ୍ୟା ଗୁଲାବକୁ ଆଖି ଆଗରେ ରଖି ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକ କରିଛନ୍ତି ଏସଆରସି  । ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ନୟାଗଡ଼  । ଏହି ସମସ୍ତ ଜିଲ୍ଲାରେ ଆଗୁଆ ସତର୍କତା କରାଯାଇଛି  । ଜିଲ୍ଲାପାଳମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ କୁହାଯାଇଛି  । ଏହି ସମସ୍ତ ଜିଲ୍ଲାକୁ  ୪୨ ଓଡ୍ରାଫ, ୨୪ ଏନଡିଆରଏଫ ଟିମ ପଠାଯିବା ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ପ୍ରଦାନ କରିଛନ୍ତି ଏସଆରସି  । ସେପଟେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ ଓ ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ମଧ୍ୟ କହିଛନ୍ତି ପ୍ରଦୀପ ଜେନା  ।

ବର୍ତ୍ତମାନ ସ୍ଥଳଭାଗ ମୁହାଁ ବାତ୍ୟା ଗୁଲାବ । ଉତ୍ତର-ପୂର୍ବ ଏବଂ ପୂର୍ବ- କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି । ବର୍ତ୍ତମାନ ଏହା ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗରେ ଗତି କରୁଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତିକରୁଛି ବାତ୍ୟା ଗୁଲାବ । ଗୋପାଳପୁର ଠାରୁ ୫୧୦ କିଲୋମିଟର ଦକ୍ଷିଣ- ପୂର୍ବରେ ରହିଛି । କଳିଙ୍ଗପାଟନମ୍ ଠାରୁ ୫୯୦ କିଲୋମିଟର ପୂର୍ବରେ ରହିଛି । ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି ।  ୭ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ସେପଟେ ବାତ୍ୟା ପ୍ରଭାବରେ କାଲିଠୁ ବଢିବ ବର୍ଷାର ପରିମାଣ ।

ତେଣୁ  ଆସନ୍ତାକାଲି ଅର୍ଥାତ ରବିବାର ପାଇଁ ୭ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି  । ଏସଆରସି ପ୍ରଦୀପ ଜେନା ଭିସି ଯୋଗେ ମଧ୍ୟ ବୈଠକ କରିଛନ୍ତି  । ସେପଟେ ମୁଖ୍ୟତଃ ତିନୋଟି ଦିଗକୁ ନେଇ ଜିଲ୍ଲାବାସୀ ସତର୍କ ରହିବାର ଅଛି  । ଭୁସ୍କଳନ, ତଳିଆ ଅଞ୍ଚଳରେ ପାଣି ଜମିବା ଏବଂ ପବନ ପ୍ରତି ଆଗୁଆ ସଜାଗ ରହିବାର ଆବଶ୍ୟକତା ରହିଛି  । ଏହି ସମସ୍ତ ଜିଲ୍ଲାର ପ୍ରଭାବିତ ହେବାକୁ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ  । ସେପଟେ ପ୍ରଭାବିତ ହେବାକୁ ଥିବା ସମ୍ଭାବ୍ୟ ଜିଲ୍ଲାକୁ ଏନଡିଆରଏଫ ଏବଂ ଓଡ୍ରାଫ ଟିମ ବଣ୍ଟନ କରାଯାଇଛି  । ଏହି କ୍ରମରେ ଗଞ୍ଜାମ ଜିଲ୍ଲାକୁ ୧୫ଟି ଓଡ୍ରାଫ ଟିମ, ୬ଟି  ଏନଡିଆରଏଫ ଟିମ ପ୍ରଦାନ କରାଯାଇଛି  । ସେହିପରି ଗଜପତିକୁ ୬ଟି ଓଡ୍ରାଫ, ୪ଟି ଏନଡିଆରଏଫ ଟିମ, ରାୟଗଡ଼ାକୁ ୬ଟି ଓଡ୍ରାଫ ୪ଟି ଏନଡିଆରଏଫ ଟିମ୍, କୋରାପୁଟକୁ ୩ଟି ଓଡ୍ରାଫ ୪ଟି ଏନଡିଆରଏଫ, ମାଲକାନଗିରିକୁ ୬ଟି ଓଡ୍ରାଫ, ୨ଟି ଏନଡିଆରଏଫ, ନବରଙ୍ଗପୁରକୁ ୩ଟି ଓଡ୍ରାଫ, କନ୍ଧମାଳକୁ ୩ଟି ଓଡ୍ରାଫ ଟିମ ଏବଂ ନୟାଗଡ଼କୁ ୪ଟି ଏନଡିଆରଏଫ ଟିମ ପଠାଯିବ ବୋଲି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା  ।

 

 

Leave a Reply