ନଇଁବନି ଚାଷୀର ମୁଣ୍ଡ, ଜୋରଦାର ହେବ ଆନ୍ଦୋଳନ ! ମହାପଞ୍ଚାୟତରେ ପାରିତ ହେଲା ୫ ପ୍ରସ୍ତାବ

1 min read
khap-leaders

ନୂଆଦିଲ୍ଲୀ: ସହଜରେ ନଇଁବନି ଚାଷୀର ମୁଣ୍ଡ । ସରକାର ଯେତେ ପ୍ରୟାସ କଲେ ବି ବନ୍ଦ ହେବନି ଆନ୍ଦୋଳନ । ଆନ୍ଦୋଳନରେ ବସିଥିବା ଚାଷୀଙ୍କ ହାତ ମୁଠା ଟାଣ କରିବାକୁ ଜିନ୍ଦରେ ବସିଥିବା ମହାପଞ୍ଚାୟତରେ ପାରିତ ହୋଇଛି ୫ଟି ପ୍ରସ୍ତାବ । ସରକାର ଏ ଦିଗରେ ଯଥା ଶୀଘ୍ର ଧ୍ୟାନ ଦେବା ପାଇଁ ଦାବି ହୋଇଛି ।

କେନ୍ଦ୍ରକୁ ତେରେଚ୍ଛା ବାଣ ମାରିଲେ ଚାଷୀ ନେତା । ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ହରିୟାଣାର ଜିନ୍ଦରେ ବସିଥିଲା ମହାପଞ୍ଚାୟତ । ଏଥିରେ ପାରିତ ହୋଇଛି ୫ଟି ପ୍ରସ୍ତାବ । ତିନି କୃଷି ଆଇନ୍ ପ୍ରତ୍ୟାହାର ହେଉ । ଏମଏସପି ଉପରେ ଆଇନ୍ ଆଣନ୍ତୁ ସରକାର । ଗିରଫ ହୋଇଥିବା ଚାଷୀଙ୍କୁ ମୁକ୍ତ କରାଯାଉ । ଚାଷୀଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର ହେଉ ଓ ସ୍ୱାମୀନାଥନ କମିଟି ରିପୋର୍ଟ ଲାଗୁ କରାଯାଉ ବୋଲି ଚାଷୀମାନେ ଦାବି କରିଥିଲେ । ମହାପଞ୍ଚାୟରେ ଯୋଗଦେଇ ଚାଷୀ ନେତା ରାକେଶ ଟିକାୟତ କହିଥିଲେ, ସରକାରଙ୍କୁ ତିନି କୃଷି ଆଇନ୍ ପ୍ରତ୍ୟାହାର କରିବା ପାଇଁ କୁହାଯାଉଛି । ଗାଦି ଛାଡିବା ପାଇଁ ନୁହେଁ । ତିନି କୃଷି ଆଇନ ବିରୋଧରେ ଲଢେଇ ଜାରି ରହିବ, ଯେ ପର୍ଯ୍ୟନ୍ତ ଆଇନ୍ ପ୍ରତ୍ୟାହାର ନ ହୋଇଛି ।

ସେପଟେ ଚାଷୀଙ୍କୁ ଘେରାବନ୍ଦୀ କରି ରଖିଛି ଦିଲ୍ଲୀ ପୋଲିସ । ଦେଖିଲେ ମନ ହେଉଛି ଅନ୍ନଦାତାଙ୍କ ଆନ୍ଦୋଳନକୁ ନେଇ କେତେ ଭୟଭୀତ ସରକାର । ଲାଗିଥିବା ତାର ଜାଲି ଓ ବ୍ୟାରିକେଡ୍ ପାଇଁ ଯାତାୟତରେ ସମସ୍ୟା ହେଉଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକ । ଆନ୍ଦୋଳନରତ ଚାଷୀ ମଧ୍ୟ ପୋଲିସର ଏଭଳି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି । ଦୁଇ ମାସରୁ ଅଧିକ ସମୟ ଧରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ସରକାର-ଚାଷୀଙ୍କ ମଧ୍ୟରେ ୧୧ ଥର ଆଲୋଚନା ହୋଇ ଫେଲ ମାରିଛି ।

Leave a Reply