spot_img

Latest Posts

ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର: ଆଜି ବସିବ ରାଜ୍ୟ କ୍ୟାବିନେଟ୍ । ସନ୍ଧ୍ୟା ୫ଟା ୩୦ରେ ବସିବ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ । ଲୋକସେବା ଭବନରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମୋଡରେ ହେବାକୁ ଥିବା ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର ।

ଏହି ବୈଠକରେ ୧୧ଟି ବିଭାଗର ୨୯ଟି ପ୍ରସ୍ତାବ ଉପରେ ମୋହର ବାଜିପାରେ । ବିଶେଷକରି ଶିଳ୍ପ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଜଳସମ୍ପଦ, ଦକ୍ଷତା ବିକାଶ, କୃଷି, ଅର୍ଥ, ସାଧାରଣ ପ୍ରଶାସନ, ଉଚ୍ଚଶିକ୍ଷା, ପଞ୍ଚାୟତିରାଜ ଏବଂ ରାଜସ୍ୱ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିବାର ସମ୍ଭାବନା ରହିଛି ।

ଓଡ଼ିଶା ପ୍ରଶାସନିକ ସେବା ନିୟମ ୨୦୧୧ ଏବଂ ଓଡ଼ିଶା ଲୋକାୟୁକ୍ତ ଆଇନ ୨୦୧୪ରେ ସଂଶୋଧନ ନେଇ ପ୍ରସ୍ତାବ ଆସିପାରେ । ସେହିପରି ଓଡ଼ିଶା ଶିକ୍ଷା ସେବା ନିଯୁକ୍ତି ସଂଶୋଧନ ନିୟମ ୨୦୨୨କୁ ଅନୁମୋଦନ ପାଇଁ ବୈଠକରେ ପ୍ରସ୍ତାବ ଆସିପାରେ । ସମ୍ବଲପୁର ଓ ମୟୂରଭଞ୍ଜ ଜିଲ୍ଲାରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପର କାର୍ଯ୍ୟନ୍ୱୟନ, ଓଡ଼ିଶା କଲେଜ ଶିକ୍ଷକଙ୍କ ଦରମା ହାର ସଂଶୋଧନ ନିୟମ ସଂଶୋଧନ ପ୍ରସ୍ତାବ ରହିଛି ।

ଅନ୍ୟ ପ୍ରମୁଖ ପ୍ରସ୍ତାବ ମଧ୍ୟରେ ଟାଟା ପାୱାର କମ୍ପାନୀ ନିକଟରୁ ପ୍ରାୟ ୮୭୧ ଏକର ଜମିକୁ ଇଡକୋ ନିଜ ଲ୍ୟାଣ୍ଡ ବ୍ୟାଙ୍କ ପାଇଁ ଅଧିଗ୍ରହଣ ସମ୍ପର୍କିତ ପ୍ରସ୍ତାବ ବୈଠକରେ ଆଗତ ହୋଇପାରେ । ସେହିପରି ଅନୁଗୁଳରେ ମେଗା ଆଲୁମିନିୟମ ପାର୍କ ପାଇଁ ଇଡ୍‍କୋକୁ ଆର୍ଥିକ ସହାୟତା, ଜିଆଇଇଟି ବିଶ୍ୱ ବିଦ୍ୟାଳୟ ଆଇନ, ୨୦୧୮ ଏବଂ ସିଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ଆଇନ, ୨୦୧୯ରେ ସଂଶୋଧନ, ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଡ୍ରିମ୍ସ ନାମରେ ଏକ ସେଲଫ ଫାଇନାନ୍ସ ଘରୋଇ ବିଶ୍ୱବିଦ୍ୟାଳୟ ପାଇଁ ଅଲଗା ଆଇନ କାର୍ଯ୍ୟକାରୀ ପରି ପ୍ରସ୍ତାବ ରହିଛି ।

ସେହିପରି ମାଟି ଯୋଜନା ଅଧିନରେ ଚେକ୍‍ ଡ୍ୟାମ ନିର୍ମାଣ, କୁଆଖାଇ ଏବଂ ଇବ୍‍ ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ପାଇଁ ଫାଇନାନ୍ସିଆଲ ବିଡର ଅନୁମୋଦନ ଏବଂ ଷୋଡ଼ଶ ଓଡ଼ିଶା ବିଧାନସଭାର ନବମ ଅଧିବେଶନର ସତ୍ରାବସାନ ସମ୍ପର୍କିତ ପ୍ରସ୍ତାବ ଉପରେ ମୋହର ବାଜିପାରେ ।

 

 

Latest Posts

Don't Miss