ରାଜ୍ୟ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର: ଆଜି ସାରା ଦେଶ ପାଳୁଛି ୭୩ତମ ସାଧାରଣତନ୍ତ୍ର ଦିବସ । ଭୁବନେଶ୍ୱର ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ୭୩ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଗ୍ରହଣ କରିଥିଲେ । ସେହିପରି ସମ୍ମାନୀୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ପୋଲିସ ବ୍ୟାଣ୍ଡକୁ ମିଶାଇ ଏଥର ମୋଟ ୧୦ଟି କଣ୍ଟିଜେଣ୍ଟ ପରେଡରେ ଭାଗ ନେଇଥିଲେ । ବିଏସଏଫ, ସିଆରପିଏଫ, ଏସଓଜି, ଓଏସଏଏପି, ଓଡ୍ରାଫ, ଫାୟାର, ଏସଏସବି ଓ ୩ଟି ବ୍ରାସବ୍ୟାଣ୍ଡ ଯୋଗ ଦେଇଥିଲେ ।

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ଥର ପାଇଁ ଭାଗ ନେଇଥିଲେ ବିଏସଏଫ ଯବାନ । କୋଭିଡ କଟକଣା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । କୋଭିଡ କଟକଣା ଦୃଷ୍ଟିରୁ ଚଳିତ ବର୍ଷ ପରେଡ ଦେଖିବାକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଥିଲା । ସେହିପରି ଭାବରେ ଚଳିତ ବର୍ଷ ପରେଡରେ ଭାଗ ନେଇଥିବା ସମସ୍ତ ସଦସ୍ୟଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୭୦ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା । ଏଥି ସହ ଗାନ୍ଧିମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ୍ କରାଯାଇଥିଲା ।

Leave a Reply