୧୦୦ ଜଣ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧିତ କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ୩୬ତମ ଜାତୀୟ କ୍ରୀଡ଼ାରେ ସଫଳ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲା ଓଡ଼ିଶା । ୧୦୦ଜଣ ଆଥଲେଟଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ସ୍ବର୍ଣ୍ଣ ବିଜେତାଙ୍କୁ ୫ଲକ୍ଷ, ରୌପ୍ୟ ବିଜେତାଙ୍କୁ ୩ ଓ ବ୍ରୋଞ୍ଜ ବିଜେତାଙ୍କୁ ୨ଲକ୍ଷ ଟଙ୍କା ଲେଖାଏ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୋଟ ୩କୋଟି ୧୬ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଇଛି ।

କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, କ୍ରୀଡ଼ା ସଚିବ ଆର. ଭିନିଲ କ୍ରୀଷ୍ଣା ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ୧୦୦ଜଣଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଦିନେଶ କୁମାର ଓ ମୁନା ନାୟକ । ସାଇକେଲିଂରେ ୩ଟି ସ୍ବର୍ଣ୍ଣ ହାସଲ କରିଛନ୍ତି ଦିନେଶ । ସେହିପରି ଓ୍ବେଟଲିପ୍ଟିଂରେ ଗୋଟିଏ ରୌପ୍ୟ ଜିତିଛନ୍ତି ମୁନା ।

ଏହା ସହିତ ସ୍ବର୍ଣ୍ଣ ପଦକ ବିଜେତା ଓଡ଼ିଶା ମହିଳା ରଗବି ଟିମକୁ ୬୦ ଓ ମହିଳା ଖୋ ଖୋ ଟିମକୁ ରୌପ୍ୟ ପଦକ ପାଇଁ ୪୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଜାତୀୟ କ୍ରୀଡ଼ାରେ ପଦକ ଜିତି ସମସ୍ତେ ଗୌରବ ଆଣିଛନ୍ତି । ଯୁବ ବିଜେତାଙ୍କୁ ସମ୍ବର୍ଦ୍ଧିତ କରି ଆମେ ଗୌରବାନ୍ବିତ ବୋଲି କହିଛନ୍ତି କ୍ରୀଡ଼ାମନ୍ତ୍ରୀ । ଆଗକୁ ଲକ୍ଷ୍ୟ ପଥରେ ଯାଇ ଅଧିକ ସଫଳତା ହାସଲ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ହକି ଇଣ୍ଡିଆ ସଭାପତି । ଖେଳାଳିଙ୍କୁ ପ୍ରୋତ୍ସାହିତ କରୁଥିବାରୁ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିଛନ୍ତି ଆଥଲେଟ୍ ।