ଖଣି ରାଜସ୍ୱ ସଂଗ୍ରହରେ ରାଜ୍ୟ ସରକାରଙ୍କୁ ବଡ଼ ସଫଳତା: ବିଗତ ବର୍ଷ ତୁଳନାରେ ୩ଶହ ପ୍ରତିଶତ ଅଧିକ ରାଜସ୍ୱ ସଂଗ୍ରହ

1 min read

ଭୁବନେଶ୍ୱର: ଇତିହାସ ରଚିଲା ରାଜ୍ୟ ଖଣି ବିଭାଗ । ଚଳିତ ଆର୍ଥିକବର୍ଷର ପ୍ରଥମ କ୍ୱାର୍ଟରରେ ଖଣି ରାଜସ୍ୱ ସଂଗ୍ରହ ହେଲା ୯ ହଜାର ୨୦୦ କୋଟି ଟଙ୍କା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫-T ସଂସ୍କାର ଓ ବିଭାଗୀୟ ଅଧିକାରୀଙ୍କ ନିଷ୍ଠା ଯୋଗୁ ସରକାର ରାଜସ୍ୱ ସଂଗ୍ରହ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିପାରିଛନ୍ତି । ୨୦୨୧-୨୨ ଆର୍ଥିକବର୍ଷରେ ଖଣି ରାଜସ୍ୱ ବାବଦରେ ୧୫ ହଜାର କୋଟି ଟଙ୍କା ଆଦାୟ ହେବ ବୋଲି ବିଭାଗ ଲକ୍ଷ୍ୟ ଧାର୍ଯ୍ୟ କରିଛି ।

ଖଣି ରାଜସ୍ୱ ସଂଗ୍ରହରେ ରାଜ୍ୟ ସରକାରଙ୍କୁ ବଡ଼ ସଫଳତା । ଆର୍ଥିକବର୍ଷର ପ୍ରଥମ କ୍ୱାର୍ଟରରେ ରାଜସ୍ୱ ଆଦାୟ ୯ ହଜାର ୨୦୦ କୋଟି ଟଙ୍କା। ଯାହାକି ବିଭାଗର ସର୍ବକାଳୀନ ରେକର୍ଡ । କରୋନା ମହାମାରୀ ସତ୍ତ୍ୱେ ଜୁନ୍‌ ଶେଷସୁଦ୍ଧା ଲୁହାପଥର, ମାଙ୍ଗାନିଜ୍‌, ବକ୍‌ସାଇଟ୍‌, କ୍ରୋମାଇଟ୍‌ ଓ କୋଇଲା ଉତ୍ପାଦନ ୨୦୧୯-୨୦ ଆର୍ଥିକବର୍ଷ ତୁଳନାରେ ୧୧୧ ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଖଣିଜ ପରିବହନ କ୍ଷେତ୍ରରେ ମଧ୍ୟ ୧୦୪ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୯-୨୦ ଏପ୍ରିଲ ପହିଲାରୁ ଜୁଲାଇ ୬ ତାରିଖ ସୁଦ୍ଧା ଖଣି ରାଜସ୍ୱ ୩ ହଜାର ୯୩ କୋଟି ସଂଗ୍ରହ ହୋଇଥିଲା । ୨୦୨୧-୨୨ ଆର୍ଥିକବର୍ଷର ଏହି ସମୟରେ ୯ ହଜାର ୬୧୭ କୋଟିରୁ ଅଧିକ ରାଜସ୍ୱ ସଂଗ୍ରହ ହୋଇଛି । ଯାହାକି ବିଗତ ବର୍ଷ ତୁଳନାରେ ୩୧୦ ପ୍ରତିଶତ ଅଧିକ ।
କେନ୍ଦ୍ର ସରକାର ଆର୍ଥିକ କଟକଣା ଲଗାଇବା ସହ ରାଜ୍ୟର ନ୍ୟାଯ୍ୟ ହକ୍‌ ଦେବାରେ ଟାଳଟୁଳ ନୀତି ଆପଣାଇଛନ୍ତି । କିନ୍ତୁ ରାଜ୍ୟ ସରକାର କେନ୍ଦ୍ରକୁ ଅପେକ୍ଷା ନ କରି ନିଜସ୍ୱ ସମ୍ବଳ ସଂଗ୍ରହକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ବିଭାଗୀୟ ସଚିବ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଯୋଗୁ ଏହା ସମ୍ଭବ ହୋଇପାରିଛି । ଆର୍ଥିକବର୍ଷ ଶେଷ ସୁଦ୍ଧା ୧୫ ହଜାର କୋଟିରୁ ଅଧିକ ଖଣି ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ରାଜସ୍ୱ ସଂଗ୍ରହରେ ରେକର୍ଡ । ସର୍ବକାଳୀନ ରେକର୍ଡ କଲା ରାଜ୍ୟ ଖଣି ବିଭାଗ । ଚଳିତ ଆର୍ଥିକବର୍ଷର ପ୍ରଥମ କ୍ୱାର୍ଟରରେ ୯ ହଜାର ୨୦୦ କୋଟି ଟଙ୍କା ଆଦାୟ । ଗତବର୍ଷ ତୁଳନାରେ ୧୧୧ ପ୍ରତିଶତ ଓ ତା’ ପୂର୍ବବର୍ଷଠାରୁ ୩୧୦ ପ୍ରତିଶତ ଅଧିକ । ମୁଖ୍ୟମନ୍ତ୍ରୀଙ୍କ ୫-T ସଂସ୍କାରକୁ ସଫଳତା । ଏ ବର୍ଷ ୧୫ ହଜାର କୋଟିରୁ ଅଧିକ ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି ।

ଏଥିସହିତ ପଢ଼ନ୍ତୁ: ଇସ୍ପାତ କାରଖାନା ସ୍ୱପ୍ନ ପୂରା ହୋଇଥିବାରୁ ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ: କହିଲେ, ବିଜୁ ବାବୁ ମଧ୍ୟ କେନ୍ଦୁଝର ବିକାଶ ନେଇ ତତ୍ପର ଥିଲେ

Leave a Reply