ତେଜିଲା ଧାନକିଣା ବିବାଦ: ଜୁଲାଇ ୩୦ ପର୍ଯ୍ୟନ୍ତ ତାରିଖ ବଢ଼ାଇବାକୁ ବିଜେଡିର ଦାବି

ନନ୍ଦିଘୋଷ ବ୍ୟୁରୋ: ଖରିଫ ଋତୁ ଭଳି ରବି ଋତୁରେ ବି ଧାନ କିଣାରେ ଅବ୍ୟବସ୍ଥା ସାମ୍ନାକୁ ଆସିଛି । ଚାଷୀଙ୍କ ପାଖରେ କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ ଥିବା ବେଳେ ସରକାର ଧାନ ସଂଗ୍ରହ ପାଇଁ ମଣ୍ଡି ବନ୍ଦ କରିବାକୁ ବସିଛନ୍ତି । ଚାଷୀ ଟୋକନ ଧରି ବସିଛନ୍ତି, ହେଲେ ଧାନ ବିକିବାକୁ ସକ୍ଷମ ହେଉନାହାନ୍ତି । ମଣ୍ଡିରେ ବର୍ଷାରେ ଧାନ ଭିଜୁଥିବା ବେଳେ ଏହାର ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ । ଏମିତି ସ୍ଥିତିରେ ଜୁନ୍ ୩୦ ସୁଦ୍ଧା ମଣ୍ଡି ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହାକୁ ଜୁଲାଇ ୩୦ ଯାଏଁ ବଢାଇବାକୁ ବିଜେଡି ଦାବି କରିଛି । ସେପଟେ ଚାଷୀଙ୍କ ଧାନ ସରକାର ନ କିଣିଲେ ରାଜରାସ୍ତାକୁ ଓହ୍ଲାଇବାକୁ କଂଗ୍ରେସ ଚେତାବନୀ ଦେଇଛି । ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, କାହାର ଟୋକନ ଲାପ୍ସ ହେବ ନାହିଁ, ସମସ୍ତଙ୍କ ଧାନ କିଣାଯିବ । ସେପଟେ ବ୍ରହ୍ମଗିରି, ପୁରୀ ସଦର ଓ କଣାସ ବ୍ଲକରେ ବିକ୍ଷୋଭ କରିଛନ୍ତି ଚାଷୀ ।

ପୁଣି ଧାନ କିଣାରେ ବିଭ୍ରାଟ । ଖରିଫ ଭଳି ରବିରେ ବି ଚାଲିଛି ରୀତିମତ କଟନୀ ଛଟନୀ । ଧାନ କିଣା ଅବ୍ୟବସ୍ଥା ଦୂର ନହେଲେ ଆନ୍ଦୋଳନ ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି । ଚାଷୀଙ୍କ ସମସ୍ତ ଧାନ କିଣିବା ସହ ଅବଧି ଜୁଲାଇ ୩୦ ତାରିଖ ଯାଏଁ ବଢାଇବାକୁ ବିଜେଡି ଦାବି ରଖିଛି । କିଷାନ କଂଗ୍ରେସ ମଧ୍ୟ ଧାନ କିଣା ଅବ୍ୟବସ୍ଥା ନେଇ ମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀଙ୍କୁ ପତ୍ର ଲେଖିଛି । ମନ୍ତ୍ରୀ କହିଛନ୍ତି, ଗତବର୍ଷ ଅପେକ୍ଷା ଏ ବର୍ଷ ଅଧିକ ଧାନ କିଣିଛୁ । କାହାର ଟୋକନ ଲାପ୍ସ ହେବ ନାହିଁ । ସମସ୍ତଙ୍କ ଧାନ କିଣାଯିବ । ବର୍ଷା ଯୋଗୁଁ ଧାନ ଅମଳ ଓ ସଂରକ୍ଷଣରେ ଚାଷୀ ବ୍ୟସ୍ତ ଥିବା ବେଳେ ଧାନ କିଣା ନେଇ ଜୁନ୍ ୩୦ ଯାଏଁ ସରକାରଙ୍କ ଅବଧି ଅଡ଼ୁଆରେ ପକାଇଛି । ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି । ଧାନକିଣା ଅବଧି ଜୁଲାଇ ୩୦ ଯାଏଁ ବୃଦ୍ଧି କରିବାକୁ ବିଜେଡି ସାମ୍ବାଦିକ ସମ୍ମଳିନୀ ଜରିଆରେ ଦାବି କରିଛି । ସବୁ ଚାଷୀଙ୍କ ଆଖି ସ୍କାନ କରି ଧାନ କିଣା ସୁନିଶ୍ଚିତ କରିବାକୁ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କାମରେ ଲଗାଇବାକୁ ବିଜେଡି ଦାବି କରିଛି ।

ଖରିଫ ଋତୁରେ ୭୪ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା । ରବି ଋତୁରେ ଏବେ ସୁଦ୍ଧା ୧୯ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ହେଲାଣି । ଗତବର୍ଷ ଅପେକ୍ଷା ଏଥର ଅଧିକ ଧାନ ସରକାର କିଣିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । ହେଲେ ମନ୍ତ୍ରୀଙ୍କ କହିବା ଅନୁସାରେ ଗ୍ରାଉଣ୍ଡ ଜିରୋରେ କାମ ହେଉନାହିଁ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଜିଲ୍ଲାସ୍ତରରେ ଅଧିକାରୀମାନେ ମନମାନୀ କରୁଛନ୍ତି । ଚାଷୀଙ୍କୁ କଟନୀ ଛଟନୀ ନାଁରେ ହଇରାଣ ହରକତ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଅବଧି ସମୟରେ ଯେଉଁମାନଙ୍କର ଆଖି ସ୍କାନ ହୋଇଥିବ, ସେମାନଙ୍କ ଧାନ ନିଶ୍ଚିତ କିଣାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ଧାନରେ କ୍ବିଣ୍ଟାଲ ପିଛା ୮ ଶହ ଟଙ୍କା ଇନପୁଟ ସବସିଡି ନେଇ ସରକାର ବାହାବା ନେବାକୁ ବସିଥିବା ବେଳେ ଗ୍ରାଉଣ୍ଡ ଜିରୋରେ ଚାଷୀଙ୍କ ଅବସ୍ଥା ସଙ୍ଗୀନ । ପ୍ରତି କ୍ବିଣ୍ଟାଲରେ ୧୫ରୁ ୨୦ କେଜି କଟନୀ ଛଟନୀ ହେଉଥିବା ବେଳେ ଏବେ ଚାଷୀଙ୍କ ଧାନର ସୁରକ୍ଷା ପାଇଁ ମଣ୍ଡିରେ କିଛି ବ୍ୟବସ୍ଥା ନାହିଁ । ତା’ ସାଙ୍ଗକୁ ଧାନ କିଣା ପାଇଁ ସୀମିତ ଅବଧି ଚାଷୀମାନଙ୍କୁ ଚିନ୍ତାରେ ପକାଇଛି ।