ପ୍ରେମ ବିବାହକୁ ସ୍ୱୀକୃତି ଦେଲାନି କଙ୍ଗାରୁକୋର୍ଟ, ପ୍ରେମିକ ସାଜିଲା ଦାଦନ…

ନବରଙ୍ଗପୁର: ପ୍ରେମ ବିବାହ ପାଇଁ ଦାଦନ ସାଜିଛି ପ୍ରେମିକ । ସାମାଜିକ ସ୍ୱୀକୃତି ମିଳିନଥିଲା ପ୍ରେମ ବିବାହକୁ । ଏଥିପାଇଁ ଘର ଛାଡ଼ିଥିଲେ ପ୍ରେମୀ ଯୁଗଳ । ଆଉ ଗାଁକୁ ଫେରିଲା ପରେ ଦୁହିଁକୁ ବିଚ୍ଛେଦ କରି କଙ୍ଗାରୁ କୋର୍ଟରେ ୫୦ ହଜାର ଟଙ୍କା ଜୋରିମାନା କରାଯାଇଥିଲା । ଆଉ ଏହି ଜୋରିମାନା ପାଇଁ ସ୍ୱାମୀ ସାଜିଛି ଦାଦନ ।

ପ୍ରେମ କେତେବେଳେ ଦିକ୍ଷା ତ କେତେବେଳେ ପରୀକ୍ଷା । ଆଉ ସେହି ପରୀକ୍ଷା ଦେଉଛନ୍ତି ପ୍ରତାପ । ପ୍ରେମର ଫଗୁଣରେ ପ୍ରତାପ ଭଲପାଇ ବସିଥିଲେ ଫଗୁଣୀକୁ । ଫଗୁଣୀକୁ ନେଇ ଏକ ସୁନ୍ଦର ନିଡ଼ଟେ ଗଢିବାକୁ ଚାହିଁଥିଲେ । ତାହା ହିଁ ହୋଇଥିଲା । ଦୁହେଁ ଦୁହିଁକୁ ବିବାହ କରି ଘରଠୁ ଦୂରରେ ଏକ ପ୍ରେମର ବସା ଗଢ଼ିଥିଲେ । କାହିଁକି ନା ତାଙ୍କ ପ୍ରେମ ବିବାହକୁ ମିଳ ନଥାନ୍ତା ସାମାଜିକ ସ୍ୱୀକୃତି । ପ୍ରାୟ ଗୋଟିଏ ମାସ ପରେ ଗାଁକୁ ଫେରିଥିଲେ ଏହି ପ୍ରେମୀ ଯୁଗଳ । ଭାବିଥିଲେ ଗାଁ ଲୋକ ଦେବେ ସାମାଜିକ ସ୍ୱୀକୃତି । ହେଲେ ସ୍ୱୀକୃତି ମିଳିବା ବଦଳରେ ଦୁହିଁଙ୍କୁ ବିଚ୍ଛେଦ କରି ସମାଜ ମାଗିଥିଲା ୫୦ ହଜାର ଟଙ୍କା ଜୋରିମାନା । ଆଉ ଏବେ ପ୍ରେମ ବିବାହର ପାଉଣା ପାଇଁ ସ୍ୱାମୀ ସାଜିଛି ଦାଦନ ।

ଏମିତି ଏକ ପ୍ରେମ ବିଚ୍ଛେଦର ଦାଦନ ଦୁଃଖ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଖାଡେଗାଁରେ । ଗାଁର ପ୍ରତାପ କଲାର ଏବଂ ସେହି ଗାଁର ଫଗୁଣି ଗଣ୍ଡ ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ । ଆଉ ଚଳିତ ବର୍ଷ ଜୁନ ୨୭ ତାରିଖରେ ପୋଡ଼ଶୀ ରାଜ୍ୟ ଛତିଶଗଡ଼ର କୋଣ୍ଡାଗାଁକୁ ଚାଲିଯାଇଥିଲେ । ହେଲେ ଜୁଲାଇ ୪ ତାରିଖରେ ଗାଁକୁ ଫେରିଥିଲେ ଏହି ପ୍ରେମି ଯୁଗଳ । ଆଉ ଗାଁର କଙ୍ଗାରୁ କୋର୍ଟ ଭରିଦେଇଥିଲା ଦୁହିଁଙ୍କ ପ୍ରେମରେ ଦାରୁଣ ଦୁଃଖ । ପ୍ରେମିକ ପ୍ରତାପଙ୍କୁ ସଜାଇ ଦେଇଥିଲା ଦାଦନ ।

Leave a Reply