ସତର୍କ ରୁହ: ପେଟ ରୋଗ ଓମିକ୍ରନର ଲକ୍ଷଣ

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତାଜନକ ତଥ୍ୟ । ସାରା ଦୁନିଆରେ ଏହା କାୟା ମେଲାଇ ଚାଲିଛି । ଓମିକ୍ରନଠାରୁ ସତର୍କ ରହିବାକୁ ଏହାର ଲକ୍ଷଣ ସମ୍ପର୍କରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଲୋକଙ୍କୁ ସଚେତନ କରୁଛନ୍ତି । ଡେଲଟା ସହ ଓମିକ୍ରନର ଲକ୍ଷଣ ପ୍ରାୟତଃ ସମାନ ହୋଇଥିଲେ ବି କିଛି ନୂଆ ଲକ୍ଷଣ ଦେଖିବାକୁ ମିଳୁଛି । ଯେମିତି ଥଣ୍ଡା, ଜ୍ବର, କାଶ ଓ ଗଳା ଦରଜ ସହ ପେଟ ଉପରେ ପ୍ରଭାବ ପକାଉଛି ଓମିକ୍ରନ୍ ।

ଯଦି ବିନା ଜ୍ବରରେ ବାନ୍ତି ଓ ପେଟ ଦରଜ ହେଉଛି କିମ୍ବା ହାଲିଆ ଲାଗୁଛି ତେବେ ଏହା ଓମିକ୍ରନ ଲକ୍ଷଣ ହୋଇପାରେ । ଏହାସହ ଝାଡ଼ା ହେବା ଓ ଭୋକ ନଲାଗିବା ମଧ୍ୟ ଓମିକ୍ରନ ଲକ୍ଷଣ ହୋଇପାରେ । ନୂଆ ଭାରିଆଣ୍ଟରେ ଅଧିକ ଲୋକଙ୍କ ପେଟ ଖରାପ ହେଉଛି । ଏମିତିକି ଦୁଇଟି ଡୋଜ ଟିକା ନେଇ ସାରିଥିବା ଲୋକଙ୍କଠାରେ ମଧ୍ୟ ଏହି ଲକ୍ଷଣ ଦେଖିବାକୁ ମିଳୁଛି ।

ଗୁରଗ୍ରାମ ଫୋର୍ଟିସ୍ ମେମୋରିଆଲ ରିସର୍ଚ୍ଚ ଇଣ୍ଟିଚ୍ୟୁଟ୍ ଡାଇରେକ୍ଟର ଡ. ମନୋଜ ଗୋୟଲ କହିଛନ୍ତି, ‘କିଛି ଲୋକଙ୍କୁ ଆରମ୍ଭରୁ ବିନା ଜ୍ବର ଓ ଥଣ୍ଡାରେ ପେଟ ସମସ୍ୟା ଦେଖା ଦେଇପାରେ । ପିଠି ଓ ପେଟ ଦରଜ ହେବା, ବାନ୍ତି ହେବା, ଭୋକ ନ ଲାଗିବା ଓ ଝଡ଼ା ହେବା ଏହାର ଲକ୍ଷଣ । ଓମିକ୍ରନ ଯୋଗୁଁ ତଳି ପେଟର ମ୍ୟୁକୋସା ସଂକ୍ରମିତ ହୋଇଥାଏ । ଏହି କାରଣରୁ ପେଟରେ ଦାଗ ପଡ଼ିଥାଏ । ଦୁଇଟି ଡୋଜ୍ ନେଇଥିଲେ ବି ଏହି ଲକ୍ଷଣ ଦେଖାଦେଉଛି । ତେବେ ଏହା ଗମ୍ଭୀର ଓ ଚିନ୍ତାର ବିଷୟ ନୁହେଁ ।’

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ‘ପେଟ ଦରଜ ହେବା, ହାଲିଆ ଲାଗିବା ଓ ଭୋକ ନ ଲାଗୁଥିଲେ ଏହାକୁ ସାମାନ୍ୟରେ ନିଅନ୍ତୁ ନାହିଁ । ଯଦି ଏମିତି ଲକ୍ଷଣ ଦେଖାଦେଉଛି ତେବେ ନିଜକୁ ତୁରନ୍ତ ଆଇସୋଲେଟ୍ କରିନିଅନ୍ତୁ । ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଔଷଧ ଖଆନ୍ତୁ ନାହିଁ । ଅଳ୍ପ ଖଆନ୍ତୁ ଓ ଅଧିକ ଶୁଅନ୍ତୁ । ଏହି ସମୟରେ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ କି ମଦ ପିଆନ୍ତୁ ନାହିଁ ।’

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଆପଣଙ୍କ ମଧ୍ୟରେ ଏମିତି ଲକ୍ଷଣ ଦେଖା ଦେଉଛି ତେବେ ସଫା ସୁତରା ରୁହନ୍ତ । ଗରମ ଖାଦ୍ୟ ଖଆନ୍ତୁ । ଅନ୍ୟମାନଙ୍କ ସହ ଖାଇବା ଭାଗ କରନ୍ତୁ ନାହିଁ । ଫଳ ଖାଉଥିଲେ ଭଲ ଭାବେ ଧୋଇ ଖାଆନ୍ତୁ । ବାହାରୁ ମଗାଇ ଖାଆନ୍ତୁ ନାହିଁ । ଟିକା ନେଇଥିଲେ ବି କୋଭିଡ ନିୟମ ମାନି ଚଳନ୍ତୁ । ଆଇସୋଲେସନ ସମୟ ପୂରା କରିବା ପରେ ଘରୁ ବାହାରନ୍ତୁ ।

Leave a Reply