spot_img

Latest Posts

ହର୍ମୁଜ୍ ପ୍ରଣାଳୀକୁ ନେଇ ସଂଗ୍ରାମ , ଆଗକୁ ବିପଦ ମାଡିଆସୁଛି

ନନ୍ଦିଘୋଷ ବ୍ୟୁରୋ : ଆଗକୁ ଭାରତ ଓ ଅନ୍ୟ ଦେଶ ମାନଙ୍କରେ ଶକ୍ତି ସଙ୍କଟ ବଡ଼ ସମସ୍ୟା ହେବ କି ? ଦରଦାମ ବୃଦ୍ଧି ଜନତାଙ୍କ ମୁଣ୍ଡ ବିନ୍ଧା ପାଲଟିବ କି ? ଯଦି ଦୁଇ ସପ୍ତାହର ଯୁଦ୍ଧ ବିରାମ ପରେ ଇରାନ ଓ ଆମେରିକା ପୁଣି ଯୁଦ୍ଧ କରନ୍ତି  ତେବେ ସ୍ଥିତି କଣ ହେବ ? ହର୍ମୁଜ୍ ପ୍ରଣାଳୀ ଦେଇ ବିଶ୍ୱର ପ୍ରାୟ ୨୦% ଅଶୌଧିତ ତୈଳ ପରିବହନ ହୁଏ ଏବଂ ଭାରତ ନିଜର ଅଧିକାଂଶ ଅଶୌଧିତ ତୈଳ ଏହି ମାର୍ଗ ଦେଇ ଆମଦାନି କରିଥାଏ । ଯଦି ଏହା ସମ୍ପୂର୍ଣ ଭାବେ ବନ୍ଦ ହୁଏ ତେବେ ଭାରତରେ ତେଲର ମୂଲ୍ୟବୃଦ୍ଧି ହେବ ଏବଂ ଅର୍ଥନୀତି ପ୍ରଭାବିତ ହେବ। ଇରାନ ଆମେରିକା ମଧ୍ୟରେ ପାକିସ୍ତାନରେ ହୋଇଥିବା ଶାନ୍ତି ଆଲୋଚନା ବିଫଳ ହୋଇଛି ଏବଂ ଏହା ପରେ ଆଉ ଥରେ ଉଭୟଙ୍କ ମଧ୍ୟରେ ତାତି ବଢୁଥିବା ଦେଖାଯାଉଛି। ଏହି ସମଗ୍ର ଘଟଣାକ୍ରମ ମଧ୍ୟରେ ମୁଖ୍ୟ ବିଷୟ ପାଲଟିଛି  ହର୍ମୁଜ୍ ପ୍ରଣାଳୀଙ୍କୁ ନେଇ । ଯାହା ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବହନ ମାର୍ଗ ଗୁଡ଼ିକ ମଧ୍ୟରୁ ଅନ୍ୟତମ । ପରିସ୍ଥିତି ଏପରି ହୋଇଯାଇଛି ଯେ ଏହି ମାର୍ଗ ପୂରାପୂରି ଖୋଲା ମଧ୍ୟ ନାହିଁ ଏବଂ ପୂରାପୂରି ବନ୍ଦ ମଧ୍ୟ କୁହାଯାଇପାରିବ ନାହିଁ । ଇରାନ ନିଜ ରଣନୀତି ଅନୁଯାୟୀ ଏହି ରାସ୍ତା ଦେଇ ଯାଉଥିବା ଜାହାଜ ଗୁଡ଼ିକ ଉପରେ କଠୋର ନିୟନ୍ତ୍ରଣ ବଜାୟ ରଖିଛି ଓ ଜାହାଜ ଗୁଡ଼ିକ ଉପରୁ କର ଆଦାୟ କଥା ମଧ୍ୟ ଇରାନ ସ୍ପଷ୍ଟ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା ହର୍ମୁଜ୍ ପ୍ରଣାଳୀରେ ଜାହାଜର ପ୍ରବେଶ ଏବଂ ପ୍ରସ୍ଥାନକୁ ବନ୍ଦ କରିବ ଏବଂ ଏଥିପାଇଁ ତୁରନ୍ତ ଅବରୋଧ ପ୍ରକିୟା ଆରମ୍ଭ କରିବ । ପାକିସ୍ତାନରେ ଅନୁଷ୍ଠିତ ଆମେରିକା-ଇରାନ ଶାନ୍ତି ଆଲୋଚନାର ଅନିଶ୍ଚିତ ଫଳାଫଳ ପରେ ଟ୍ରମ୍ପ ଏହି ଘୋଷଣା କରିଛନ୍ତି । ଆମେରିକା ଏବେ ଖୋଲାଖୋଲି ଭାବେ ହର୍ମୁଜ୍ ପ୍ରଣାଳୀ ଅବରୋଧ କଥା କହୁଛି ।

ଏହି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ, ଯେତେବେଳେ ଏହି ରାସ୍ତା ପୂର୍ବରୁ ହିଁ ସୀମିତ ରୂପରେ କାର୍ଯ୍ୟ କରୁଛି, ତେବେ ଏହାକୁ ସମ୍ପୂର୍ଣ ଅବରୋଧ କରିବାର ଆବଶ୍ୟକତା କାହିଁକି ଅନୁଭବ କରୁଛି ଆମେରିକା ।ଯଦି ଏହାକୁ ସମ୍ପୂର୍ଣ ଅବରୋଧ କରିଦିଆଯାଏ ତେବେ ଭାରତ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ । ପ୍ରକୃତରେ ଏହି ସମଗ୍ର ବିଷୟରେ ରାଜନୀତି, ରଣନୀତି ଏବଂ ଅର୍ଥନୀତି — ତିନୋଟି ଏକାଠି ଜଡ଼ିତ ହୋଇଛି। ଗୋଟିଏ ପଟେ ଇରାନ ନିଜର ଆର୍ଥିକ ସ୍ୱାର୍ଥକୁ ରକ୍ଷା କରିବା ପାଇଁ ଏହି ରାସ୍ତାର ବ୍ୟବହାର କରୁଛି, ଅନ୍ୟପଟେ ଆମେରିକା ତା’ ଉପରେ ଚାପ ସୃଷ୍ଟି କରିବା ପାଇଁ ସେହି ରାସ୍ତାକୁ ଅସ୍ତ୍ର କରିବାକୁ ଚାହୁଁଛି। ଏହି ପରିସ୍ଥିତି ଏକପ୍ରକାର ତେଲ ପାଇଁ ଯୁଦ୍ଧ ଭଳି ସଙ୍କଟ ସୃଷ୍ଟି କରିବା ଭଳି ହୋଇଯାଇପାରେ । ଯେଉଁଠାରେ ପ୍ରତ୍ୟେକ ନିଷ୍ପତ୍ତି ସିଧାସଳଖ ଭାବେ ବିଶ୍ୱର ଅର୍ଥନୀତିକୁ ପ୍ରଭାବିତ କରିବ । ଭାରତ ପରି ଦେଶ, ଯାହା ନିଜର ଶକ୍ତି ସୁରକ୍ଷା ପାଇଁ ପାଇଁ ବଡ଼ ପରିମାଣରେ ଆମଦାନି ଉପରେ ନିର୍ଭର କରେ, ସେମାନଙ୍କ ପାଇଁ ଏହି ସଙ୍କଟ ଆହୁରି ଗମ୍ଭୀର ହୋଇପାରେ।

Latest Posts

Don't Miss