ଆସନ୍ତା ଫେବୃଆରୀ ୩ ତାରିଖରେ ପୁରୀ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୋପର୍ଦୀ ମୁର୍ମୁ। ୩ ତାରିଖ ସନ୍ଧ୍ୟାରେ ପୁରୀ ତାଳବଣିଆ ହେଲିପ୍ୟାଡ ଠାରେ ରାଷ୍ଟ୍ରପତି ପହଁଚିବା ପରେ ଲୋକ ଭବନ ଯିବେ। ୪ ତାରିଖ ସକାଳେ ପଞ୍ଚତୀର୍ଥ ପୁଷ୍କରିଣୀ ଶ୍ୱେତଗଙ୍ଗାରେ ପୂର୍ବପୁରୁଷଙ୍କ ଉଦେଶ୍ୟରେ ପିଣ୍ଡଦାନ କରିବା ପରେ ୭.୪୦ ରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ। ରାଷ୍ଟ୍ରପତିଙ୍କ ଦୁଇଦିନିଆ ପୁରୀ ଗସ୍ତ ଉପଲକ୍ଷେ ସୁରକ୍ଷା ଦୃଷ୍ଟିରୁ ସମୁଦାୟ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବାସହ ବିଭିନ୍ନ ଜାଗାରେ ୬ ଜଣ କମାଣ୍ଡାଣ୍ଟ ରାଙ୍କର ଅଫିସର ନିୟୋଜିତ ହେବେ।
ତାଳବଣିଆ ହେଲିପ୍ୟାଡ୍ ଠାରୁ ଆରମ୍ଭ କରି ଲୋକଭବନ,ଶ୍ୱେତଗଙ୍ଗା ପୁଷ୍କରିଣୀ, ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଟ୍ରାଫିକ ଉପରେ ମଧ୍ୟ କଟକଣା ରହିବ। ସେପଟେ ଶ୍ୱେତଗଙ୍ଗା ପୁଷ୍କରିଣୀ ସଲଗ୍ନରେ ଗଢି ଉଠିଥିବା ବିଭିନ୍ନ ହୋମଷ୍ଟେ ଗୁଡିକରେ ୩ ତାରିଖ ଏବଂ ୪ ତାରିଖରେ କୌଣସି ପର୍ଯ୍ୟଟକଙ୍କ ରହଣି କିଭଳି ନହେବ ସେନେଇ ପର୍ଯ୍ୟଟନ ବିଭାଗ ସହ ଆଲୋଚନା କରାଯାଉଛି ବୋଲି ଏସପି କହିଛନ୍ତି। ଅନ୍ୟପଟେ ଶ୍ୱେତଗଙ୍ଗା ପୁଷ୍କରିଣୀ ଚାରିପଟ ସ୍ଥିତିକୁ ଅନୁଧ୍ୟାନ କରିଛନ୍ତି ପୁରୀ ଏସପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ।

