ସ୍କୁଲ ପରିସରରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ୱର: ରବିବାର ୧୫ରୁ ୧୮ ବର୍ଷ ବୟସର ଛାତ୍ରଛାତ୍ରୀମାନଙ୍କୁ କୋଭାକ୍ସିନ୍ ଟିକା ଦାନ ପ୍ରସ୍ତୁତି ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଏକ ମିଳିତ ବୈଠକ ଭର୍ଚଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ ଯୋଗଦେଇ କହିଲେ ଯେ, ୩୧ ଡିସେମ୍ୱର ୨୦୦୭ ସୁଦ୍ଧା ଜନ୍ମ ଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ଟିକାକରଣ ଅନ୍ତର୍ଭୁକ୍ତ ହେବେ । ଟିକାଦାନ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର ବା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ । ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି ।  ଅଧ୍ୟକ୍ଷମାନେ ବିଦ୍ୟାଳୟ ପରିସରରେ ଟିକାଦାନ ପାଇଁ ଆବଶ୍ୟକୀୟ ସ୍ଥାନ ଯୋଗାଇଦେବେ ଓ ସମସ୍ତ ଛାତ୍ରଛାତ୍ରୀଙ୍କ ଟିକାଦାନ ପାଇଁ ସଚେତନ ସୃଷ୍ଟି କରିବେ । ପ୍ରଥମ ପାନ ଟିକା ନେବାରୁ ୧୮ରୁ ୪୦ ଦିନ ମଧ୍ୟରେ ଦ୍ୱିତୀୟ ପାନ ଟିକା ଦିଆଯିବ । କରୋନାରେ ପୀଡ଼ିତ ଛାତ୍ରଛାତ୍ରୀ ୩ମାସ ପରେ ଟିକା ନେଇପାରିବେ ।

ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ପ୍ରଥମେ ନବମ ଓ ଏକାଦଶ ଶ୍ରେଣୀପିଲାଙ୍କୁ ଟିକା ଦେବା ପାଇଁ ପ୍ରମୁଖ ସଚିତ ଶ୍ରୀ ସାହୁ ପରାମର୍ଶ ଦେଇଥିଲେ । ଜାନୁଆରୀ ୮ ତାରିଖରେ ପରେ ଦଶମ ଓ ୧୧ ତାରିଖ ପରେ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ  ଟିକାଦାନ କରାଯିବ । ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ନିମନ୍ତେ ଦୈନିକ ଟିକାଦାନ ଅଗ୍ରଗତି ସମ୍ପର୍କରେ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟକୁ ଜଣାଇବା ପାଇଁ ପ୍ରମୁଖ ସଚିବ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଚିହ୍ନଟ ଓମିକ୍ରନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା: ଜାଣନ୍ତୁ କ’ଣ କହିଲେ

 

Leave a Reply