ସ୍କୁଲରେ ଛାତ୍ରୀ, ବାହାରୁ ତାଲା ପକାଇଲେ ଶିକ୍ଷକ: ଅଚେତ ଅବସ୍ଥାରେ ଛାତ୍ରୀ ଉଦ୍ଧାର

1 min read

ଦିଗପହଣ୍ଡି: ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା । ଛାତ୍ରୀ ଜଣଙ୍କ ସ୍କୁଲରେ ଥିବା ବେଳେ ବାହାରୁ ତାଲା ପକାଇଲେ ସ୍କୁଲ କର୍ତ୍ତୃପକ୍ଷ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ଛାତ୍ରୀ ଜଣଙ୍କ ସ୍କୁଲରେ ଥିବା ବେଳେ ଶିକ୍ଷକ ଜଣଙ୍କ ବାହାରୁ ତାଲା ପକାଇଛନ୍ତି । ପାଟପୁର ଥାନାରେ ଅଭିଯୋଗ ପରେ ପୋଲିସ ଉପସ୍ଥିତିରେ ସ୍କୁଲ ତାଲା ଖୋଲାଯିବାରୁ ଅଚେତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି ଛାତ୍ରୀ ।

ଘଟଣାନୁଯାୟୀ, ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ବିଦ୍ୟାଳୟରୁ ଘରକୁ ଫେରିନଥିଲେ । ଅଭିଭାବକଙ୍କ ବହୁ ଖୋଜାଖୋଜି ପରେ ବିଦ୍ୟାଳୟ ପରିସରରେ ଛାତ୍ରୀ ଜଣଙ୍କ ଅଚେତ ଅବସ୍ଥାରେ ସ୍କୁଲ ମୁଖ୍ୟ ଫାଟକ ନିକଟରେ ଅଚେତ ଅବସ୍ଥାରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା । ପରେ ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ବିଦ୍ୟାଳୟ ସଭାପତିଙ୍କ ଉପସ୍ଥିତିରେ ତାଲା ଖୋଲି ଛାତ୍ରୀଙ୍କୁ ଉଦ୍ଧାର କରିଥିଲା । ତେବେ ଛାତ୍ରୀ ଜଣଙ୍କ କହିବା ମୁତାବକ  ସ୍କୁଲର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଜାଣି ଶୁଣି ତାଲା ପକାଇ ଚାଲିଯାଇଛନ୍ତି । ଛାତ୍ରୀ ଜଣଙ୍କ ସ୍କୁଲ ଛୁଟି ସମୟରେ ପରିସ୍ରାଗାର ଯାଇଥିଲେ ସେ ଫେରିଲା ବେଳକୁ ଦେଖିଥିଲେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଚାଲି ଯାଇଥିଲେ । ପରେ ଦୀର୍ଘ ସମୟ ହେବାରୁ  ଛାତ୍ରୀ ଜଣଙ୍କ ଅସୁସ୍ଥତା ଅନୁଭବ କରି ବାରଣ୍ଡାରେ ପଡି ରହିଥିଲେ । ତାଲା ଖୋଲିଲା ପରେ ଅଭିଭାବକ ଆଡ଼ପଡ଼ା ମେଡ଼ିକାଲ ନେଇଥିଲେ । ସେପଟେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୀନବନ୍ଧୁ ବେହେରା କହିଛନ୍ତି ଯେ ତାଲା ପକାଇବା ସମୟରେ ପରିସର ମଧ୍ୟରେ କେହି ନଥିଲେ । ଛାତ୍ରୀ ଜଣଙ୍କ କିଭଳି ଆସିଲେ ଆମେ ଜାଣି ନାହୁଁ । ତେବେ ସ୍କୁଲ ସଭାପତି କହିଛନ୍ତି ସ୍କୁଲକୁ ବଦନାମ କରିବାକୁ ଏହା ଏକ ଚକ୍ରାନ୍ତ । ସେପଟେ ଅଭିଭାବକ କହିଛନ୍ତି ନ୍ୟାୟ ନମିଳିଲେ ଆମେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବୁ ।

ଏଥିସହିତ ପଢ଼ନ୍ତୁ: ଦିଦି ଦେଲେ ସାମ୍ପ୍ରଦାୟିକ ବୟାନ, EC ଦେଲେ ନିର୍ଦେଶ

Leave a Reply