ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବିଶ୍ୱକପ୍ ମ୍ୟାଚ ଦେଖିଲେ ଭିନ୍ନକ୍ଷମ ଛାତ୍ରଛାତ୍ରୀ

ରାଉରକେଲା: ଭୁବନେଶ୍ୱରର ବିଭିନ୍ନ ଭିନ୍ନକ୍ଷମ ବିଦ୍ୟାଳୟରୁ ୨୩ ଜଣ ଛାତ୍ରଛାତ୍ରୀ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବସି ବିଶ୍ୱକପ ମ୍ୟାଚ ଦେଖିଛନ୍ତି । ପ୍ରଥମ ଥର ପାଇଁ ବିମାନରେ ଆସି ଷ୍ଟାଡିୟମରେ ସିଧାସଳଖ ଅନ୍ତର୍ଜାତୀୟ ମ୍ୟାଚ ଦେଖିଥିବାରୁ ଏହି ଛାତ୍ରଛାତ୍ରୀଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଏଥିପାଇଁ ସେମାନେ ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ତତ୍ତ୍ୱାବଧାନରେ ଏହି ଛାତ୍ରଛାତ୍ରୀମାନେ ବିମାନ ଯୋଗେ ରାଉରକେଲାରେ ପହଞ୍ଚିଥିଲେ । ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା। ସ୍ୱତନ୍ତ୍ର ବସରେ ସେମାନଙ୍କୁ ବିର୍ସା ମୁଣ୍ଡା ଷ୍ଟାଡିୟମକୁ ନିଆଯାଇଥିଲା ।

ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭିନ୍ନକ୍ଷମମାନଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ସେମାନେ ଷ୍ଟାଡିୟମରେ ବସି ଯେପରି ସୁବିଧାରେ ମ୍ୟାଚ ଦେଖିପାରିବେ ସେଥିଲାଗି ସ୍ୱତନ୍ତ୍ର ସିଟ୍‌ ସଂରକ୍ଷଣ କରାଯାଇଛି। ଭୁବନେଶ୍ୱରରୁ ଆସିଥିବା ଏହି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ସେଠାରେ ବସି ମ୍ୟାଚର ମଜା ନେଇଥିଲେ। ଅନ୍ତର୍ଜାତୀୟ ସ୍ତରର ହକି ତାରକାମାନଙ୍କୁ ପାଖରୁ ଦେଖିବାର ସେମାନେ ସୁଯୋଗ ପାଇଥିବାରୁ ଖୁସି ହୋଇଥିଲେ।

ଭୁବନେଶ୍ୱରସ୍ଥିତ ଶ୍ରୀହର୍ଷ ମିଶ୍ର ମେମୋରିଆଲ ସ୍କୁଲ ଫର ଦ ଡିଫ୍, ଏସଆଇଇପି, ଜୁଏଲସ ଇଣ୍ଟରନ୍ୟାସନାଲ ଚେତନା ଇନଷ୍ଟିଚ୍ୟୁଟ୍ ଫର ଇଣ୍ଟେଲେକଚୁଆଲ ଡିଜାବିଲିଟି ଏବଂ ଏନସିଏସସିଡିଏର ମୋଟ ୨୩ ଜଣ ଭିନ୍ନକ୍ଷମ ଛାତ୍ରଛାତ୍ରୀ ରାଉରକେଲା ଆସିଛନ୍ତି।

ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାୟ, ଅତିରିକ୍ତ ସଚିବ ସୋନିଆ ବେହେରାଙ୍କ ତତ୍ତ୍ୱାବଧାନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଭୁବନେଶ୍ୱରରୁ ବିମାନ ଯାତ୍ରା କରି ରାଉରକେଲାରେ ପହଞ୍ଚିଥିଲେ ।

ରାଉରକେଲାରେ ଏହି ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯିବା ବେଳେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭୈରବ ସିଂ ପଟେଲ, ସୁନ୍ଦରଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅଶୋକ କୁମାର ହାବଡ଼ାସିଂ ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।