ଲାଗି ରହିଛି ବର୍ଷା: ଫୁଲି ଚାଲିଛି ସୁବର୍ଣ୍ଣରେଖା ଓ ବୈତରଣୀ

ଲାଗି ରହିଛି ବର୍ଷା । ଫୁଲି ଚାଲିଛି ସୁବର୍ଣ୍ଣରେଖା ଓ ବୈତରଣୀ । ବିପଦ ସଂକେତ ଉପରେ ଆଖୁଆପଦାରେ ବୈତରଣୀ ଓ ରାଜଘାଟରେ ସୁବର୍ଣ୍ଣରେଖା ନଈ ପାଣି । ସୃଷ୍ଟି କଲେଣି ବନ୍ୟା ପରିସ୍ଥିତି । ଜଳର୍ଣ୍ଣବ ଗାଁ, ରାସ୍ତାରେ ଚାଲୁଛି ଅଣ୍ଡୁଏ ଆଣ୍ଠୁଏ ପାଣି । ଆସନ୍ତାକାଲି ବୈତରଣୀ ବିପଦ ସଂକେତ ତଳକୁ ଖସିବ । ହେଲେ ଜାମସୋଲାଘାଟରେ ବର୍ଷା ଜାରି ରହିଛି । ଗତକାଲି ସୁବର୍ଣ୍ଣରେଖା ବେସିନରେ ୧୭.୬୩ ମିଲିମିଟର ବର୍ଷା ହୋଇଛି । ଯେଉଁଥି ପାଇଁ ଆଜି ରାତିରେ ପାଣି କମିଲେ ବି ରାଜଘାଟଠାରେ ସୁବର୍ଣ୍ଣରେଖା ବଢିବ ।ତେବେ ସୁବର୍ଣ୍ଣରେଖାର ବନ୍ଯାରେ ବାଲିଆପାଳ ବ୍ଲକର ୧୫ରୁ ଅଧିକ ଗାଁ, ଭୋଗରାଇ ବ୍ଲକର ୨୦ ରୁ ଅଧିକ ଗାଁ ପାଣି ଘେରରେ ଅଛି। ଗାଲୁଡିହି ବ୍ଯାରେଜରୁ ୫ ହଜାର କ୍ୟୁସେକ ପାଣି ଛଡା ଯିବାରୁ ସୁବର୍ଣ୍ଣରେଖାରେ ଷଷ୍ଠ ଥର ପାଇଁ ବନ୍ୟା ଆସିଛି ।
ସେହିଭଳି ଯାଜପୁର, ଭଦ୍ରକ, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଳାର ଅନେକ ସ୍ଥାନରେ ବନ୍ୟାରେ ପ୍ରଭାବିତ ହୋଇଛି । ବୈତରଣୀ ଯୋଗୁଁ ଯାଜପୁର ବ୍ଲକ, ଦଶରଥପୁର ବ୍ଲକ ଓ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକ ପ୍ରଭାବିତ ହୋଇଛି । ଯାଜପୁର ଜିଲ୍ଲାର ସର୍ବାଧିକ ୧୪ ପଞ୍ଚାୟତର ୪୬ ଗାଁ ବନ୍ୟା ଘେରକୁ ଆସିଛି । କାଣୀ ନଦୀରେ ବି ୩୦ ମିଟର ଘାଇ ହୋଇଛି । ପାଣି କମିଲେ ଯାଇ ମରାମତି କାମ ଆରମ୍ଭ ହେବ । ବନ୍ୟା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି ।
ହୀରାକୁଦର ୧୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ରେଙ୍ଗାଳି ଜଳଭଣ୍ଡାରରେ ୯୩ ପ୍ରତିଶତ ପାଣି ଭରି ଯାଇଥିବାରୁ ଏହାକୁ ନଜରରେ ରଖିଛି ଜଳ ସମ୍ପଦ ବିଭାଗ । ଏହାର ଦୁଇଟି ଗେଟ ଖୋଲା ଅଛି । ଆବଶ୍ୟକ ପଡ଼ିଲେ, ରେଙ୍ଗାଳିର ଆଉ ଏକ ଗେଟ ଖୋଲା ହେବ । ତେବେ ସୁବର୍ଣ୍ଣରେଖା ଓ ବୈତରଣୀ ବ୍ୟତୀତ ଅନ୍ୟ କୌଣସି ବେସିନରେ ୧୦ ମିଲିମିଟରରୁ ଅଧିକ ବର୍ଷା ହୋଇ ନଥିବାରୁ, ବନ୍ୟା ସ୍ଥିତି ନାହିଁ । ହେଲେ ମୁଣ୍ଡଳୀରେ ୧.୮୪ ଲକ୍ଷ ଜଳ ପ୍ରବାହିତ ହେଉଥିବାରୁ ମହାନଦୀରେ ବନ୍ୟା ଆଶଂକା ରହିଛି । ଚଳିତ ବର୍ଷ ସୁବର୍ଣ୍ଣରେଖାରେ ପାଞ୍ଚଟି ବନ୍ୟା ହେଲାଣି । ଭଦ୍ରକ ଆଖୁଆପଦା ଆନିକଟରେ ପୁଣି ଗତକାଲି ରାତି ୮ଟାରୁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ବୈତରଣୀ ନଦୀର ବାମ ପାର୍ଶ୍ଵ ମଲିମାହାରା ଓ ଗୌରାଙ୍ଗ ଏସକେପ କର୍ଲଭଟରେ ଫାଟ ସୃଷ୍ଟି ହେବା ସହ ଘଳିଆ ପଡ଼ି ବନ୍ୟାପାଣି ବିଭିନ୍ନ ଗାଁ ଆଡକୁ ମାଡି ଚାଲିଛି ।