spot_img

Latest Posts

ସୁକିନ୍ଦାରେ ଜମୁଛି ପ୍ରଚାର

ନନ୍ଦିଘୋଷ ବ୍ୟୁରୋ: ସୁକିନ୍ଦା ବିଧାନସଭା ନିର୍ବାଚନମଣ୍ଡଳୀରେ ଜମୁଛି ନିର୍ବାଚନ ପ୍ରଚାର। ଭୋଟ ହାତେଇବାକୁ ଝାଳବୁହା କସରତ କରୁଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ।  ସଭା, ଶୋଭାଯାତ୍ରା ଓ ସମାବେଶ କରି ଚଳାଇଛନ୍ତି ପ୍ରଚାର। ଭୋଟରଙ୍କ ମନ ଜିଣିବାକୁ ନିଜ ନିଜ ଉପାୟରେ ଜାରି ରହିଛି ପ୍ରାର୍ଥୀଙ୍କ ଉଦ୍ୟମ। ଶେଷ ପର୍ଯ୍ୟାୟ ଜୁନ୍ ୧ ତାରିଖରେ ଏଠାରେ ଭୋଟ ଗ୍ରହଣ କରାଯିବ।

ଯାଜପୁର ଜିଲ୍ଲାର ସୁକିନ୍ଦା ନିର୍ବାଚନମଣ୍ଡଳୀ  ବିଜେଡିର ଗଡ ଭାବେ ପରିଚିତ । ଏହି ଆସନ ଦୀର୍ଘ ୩୫ ବର୍ଷ ଧରି ଘଡ଼ାଇ ପରିବାର ହାତରେ ରହିଆସିଛି। ତେବେ ଚଳିତ ନିର୍ବାଚନ ପାଇଁ ସୁକିନ୍ଦା ରାଜନୀତି ରହିଛି ସରଗରମ । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଜୋରଦାର ପ୍ରଚାର ଚଳାଇଛନ୍ତି। ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼ାଇ ଦିନରାତି ଏକ କରି ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି। ପ୍ରୀତିରଞ୍ଜନଙ୍କୁ ପ୍ରଚାରରେ ସହଯୋଗ କରୁଛନ୍ତି ଅଭିନେତ୍ରୀ ପତ୍ନୀ ଝିଲ୍ଲିକ୍ ଭଟ୍ଟାଚାର୍ଯ୍ୟ। ପ୍ରୀତିରଞ୍ଜନଙ୍କୁ ଟକ୍କର ଦେବାକୁ ଜୋରଦାର ପ୍ରଚାର ଚଳାଇଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ। ପ୍ରଦୀପଙ୍କ ପାଇଁ ବିଜେପିର ଷ୍ଟାର ପ୍ରଚାରକ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ସୁକିନ୍ଦାରେ ପ୍ରଚାର କରିଛନ୍ତି।

ବିଜେଡି ଓ ବିଜେପିକୁ ଟକ୍କର ଦେବାକୁ ନୂଆମୁହଁ ଉପରେ ଭରସା କରିଛି କଂଗ୍ରେସ। କଂଗ୍ରେସ ପ୍ରାର୍ଥୀ ବିଭୁଭୂଷଣ ରାଉତ ଗାଁ ଗହଳିରେ ପ୍ରଚାର ଚଳାଇଛନ୍ତି। ଘରକୁ ଘର ଯାଇ ନିଜ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି। ସୁକିନ୍ଦାରେ ଜମୁଛି ଜୋରଦାର ପ୍ରଚାର। ପୁରପଲ୍ଲୀ ସବୁଠି ଦେଖାଦେଇଛି ରାଜନୈତିକ କୋଳାହଳ। ତେବେ ଭୋଟର କାହାକୁ ଭୋଟ୍ ଦେବେ, ତାହା ସବୁ ଦିଗରୁ  ବିଚାର କରି ନିଷ୍ପତ୍ତି ନେଉଛନ୍ତି। ରାଜ୍ୟରେ ସୁକିନ୍ଦା ନିର୍ବାଚନମଣ୍ଡଳୀର ବେଶ୍ ଗୁରୁତ୍ବ ରହିଛି। ଚଳିତ ନିର୍ବାଚନରେ ଏଠାରୁ କିଏ ମାରିବ ବାଜି, ତାକୁ ନେଇ ସମସ୍ତଙ୍କ ନଜର ଏବେ ସୁକିନ୍ଦା ଉପରେ ରହିଛି ।

Latest Posts

Don't Miss