ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ ଟାଇଫସ । ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୧୦ ଆକ୍ରାନ୍ତ । ଏହାକୁ ମିଶାଇ ସୁନ୍ଦରଗଡ଼ରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୧ରେ ପହଞ୍ଚିଛି । ୫୧ଟି ରକ୍ତ ନମୁନା ଯାଞ୍ଚ ହୋଇଥିଲା । ସେଥିରୁ ୧୦ ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି । ଜିଲ୍ଲାରେ ଯେଭଳି ଭାବେ  ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି, ତାକୁ ନେଇ ଚିନ୍ତାରେ ପଡିଛି ସ୍ବାସ୍ଥ୍ୟ ବିଭାଗ । ସାମାନ୍ୟ ଜ୍ବର କିମ୍ବା ସେପରି କୌଣସି ଲକ୍ଷଣ ଦେଖାଗଲେ ସ୍କ୍ରବ ଟାଇଫସ ଟେଷ୍ଟ କରିବା ପାଇଁ ଜିଲ୍ଲାର ସମସ୍ତ ଡାକ୍ତରଙ୍କୁ ପରାମର୍ଶ ଦିଆଯାଇଛି ।

ଯେକୌଣସି ବେସରକାରୀ ଡାକ୍ତରଖାନାରେ ଆକ୍ରାନ୍ତ ଚିହ୍ନଟ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କିମ୍ବା ରାଉରକେଲା ଆରଜିଏଚକୁ ପଠାଇବାକୁ ସିଡିଏମଓ ପରାମର୍ଶ ଦେଇଛନ୍ତି । ସ୍କ୍ରବ ଟାଇଫସ ରୋଗୀଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ଔଷଧ ଏବଂ ଡାକ୍ତର ରହିଛନ୍ତି । ଗୁରୁତର ରୋଗୀଙ୍କ ପାଇଁ ଆଇସିୟୁ ମଧ୍ୟ ରହିଛି । ତେଣୁ ଭୟ ନକରି ଲକ୍ଷଣ ଦେଖାଗଲେ କିମ୍ବା ସପ୍ତାହେରୁ ଅଧିକ ଜ୍ବର ହେଲେ ତୁରନ୍ତ ଡାକ୍ତରଖାନା ଯିବା ପାଇଁ ଲୋକଙ୍କୁ ସଚେତନ କରାଉଥିବା ସିଡିଏମଓ ସୂଚନା ଦେଇଛନ୍ତି ।