ବିହାରରେ ପୁଣି ଖସିଲା ନିର୍ମାଣଧୀନ ବ୍ରିଜ୍ , ଜଣେ ଶ୍ରମିକ ମୃତ

1 min read

ନନ୍ଦିଘୋଷ ବ୍ୟୁରୋ : ବିହାର ସୁପୋଲରେ ବଡ଼ ଦୁର୍ଘଟଣା  । ଖସିପଡିଲା କୋସୀ ନଦୀ ଉପରର ନିର୍ମାଣଧୀନ ବ୍ରିଜ୍ । ଜଣେ ଶ୍ରମିକ ମୃତ୍ୟୁ ଘଟିଥିବା ବେଳେ ଅନେକ ଶ୍ରମିକ ଏବେ ବି ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଜିଲ୍ଲା ଅଧିକାରୀଙ୍କ ସୂଚନା ମୁତାବକ,ଭେଜା-ବକୌର ମଝିରେ ମରିଚା ନିକଟରେ ନିର୍ମାଣଧୀନ ଏକ ବ୍ରିଜ୍ର ଏକ ଅଂଶ ଖସିଯିବାରୁ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ବିହାରରେ ନିର୍ମାଣ ଅଧାରୁ ବ୍ରିଜ୍ ଭାଙ୍ଗିବା ଘଟଣା କୌଣସି ନୂଆ କଥା ନୁହେଁ ବରଂ ଏହା ପୂର୍ବରୁ ଏପରି ଅନେକ ଘଟଣା ଘଟିଛି । ୨୦୨୩ ଜୁନରେ ଭାଗଲପୁରଠାରେ ନିର୍ମାଣଧୀନ ଏକ ବ୍ରିଜ୍ ଖଣ୍ଡ ବିଖଣ୍ଡିତ ହୋଇ ଖସିପଡିଥିଲା  । ଖଗଡିଆ, ଅଗୁବାନୀ ଏବଂ ସୁଲତାନଗଞ୍ଜ ପର୍ଯ୍ୟନ୍ତ ତିଆରି ଚାଲିଥିବା ବ୍ରିଜ୍ ଖସିବା ଭିଡିଓ ଖୁବ୍ ଭାଇରାଲ ହୋଇଥିଲା ।  ଯେଉଁଥିରେ ଦେଖୁ ଦେଖୁ ବ୍ରିଜଟି ଖସି ଗଙ୍ଗାନଦୀରେ ମିଶିଯାଉଥିବା ଦେଖିବାକୁ ମିଳିଥିଲା  ।  ସେହିପରି  ଡିସେମ୍ୱର ୨୦୨୨ରେ ବିଜୁସରାୟର ଗଣ୍ଡକ ନଦୀରେ ନିର୍ମିତ ବ୍ରିଜ୍ ଉଦଘାଟନ ପୂର୍ବରୁ ହିଁ ଖସି ପଡିଥିଲା । ଯାହାକୁ ନିର୍ମାଣ ପାଇଁ ୧୪ କୋଟି ଟଙ୍କା ଲାଗିଥିଲା  ।