ଡୋନାଲ୍ଡ ଟ୍ରମ୍ଫଙ୍କ ପ୍ରତି ବଢୁଛି ସମର୍ଥନ, ନିର୍ବାଚନ ଲାଗି ସଂଗ୍ରହ ହେଲାଣି ୭ ନିୟୁତ ଡଲାରର ପାଣ୍ଠି

ଓ୍ୱାଶିଂଟନ: ବିଭିନ୍ନ ପ୍ରତିବନ୍ଧକ ସତ୍ତ୍ବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତି ବଢୁଛି ସମର୍ଥନ । ଆସନ୍ତା ୨୦୨୪ରେ ରାଷ୍ଟ୍ରପତି ନିର୍ବାଚନ ଲାଗି ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବା ଟ୍ରମ୍ଫ ବର୍ତ୍ତମାନ ସୁଦ୍ଧା ସଂଗ୍ରହ କରିସାରିଲେଣି ୭ ନିୟୁତ ଡଲାରର ପାଣ୍ଠି । ହ୍ବାଇଟ ହାଉସରୁ ଗୁରୁତ୍ବପୂର୍ଣ୍ଣ ନଥି ନେଇଯିବା ସହ ପର୍ଣ୍ଣଷ୍ଟାର ମାମଲାରେ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଟ୍ରମ୍ଫଙ୍କ ପ୍ରତି ସମର୍ଥନ କ୍ରମଶଃ ବଢ଼ିବା ପରିଲକ୍ଷିତ ହୋଇଛି । ବାଇଡେନ ପ୍ରଶାସନ ପକ୍ଷରୁ ତାଙ୍କୁ ଟାର୍ଗେଟ କରାଯାଉଛି ବୋଲି ଟ୍ରମ୍ଫ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ଗତକାଲି ହ୍ବାଇଟ ହାଉସରୁ ନଥି ନେବା ମାମଲାରେ ତାଙ୍କୁ ମିଆମି କୋର୍ଟ ଜାମିନ ପ୍ରଦାନ କରିଥିବାବେଳେ ତାଙ୍କ ସମର୍ଥନରେ ହଜାର ହଜାର ସମର୍ଥକ ଫେଡେରାଲ କୋର୍ଟ ଆଗରେ ନାରାବାଜି କରିଥିଲେ । ବର୍ତ୍ତମାନ ସୁଦ୍ଧା ଟ୍ରମ୍ଫଙ୍କୁ ମିଳିଥିବା ଫଣ୍ଡ ମଧ୍ୟରେ ରହିଛି ୪.୫ ନିୟୁତ ଡଲାରର ଡିଜିଟାଲ ଅର୍ଥ ଓ ଏକ ଡୋନର ଇଭେଣ୍ଟରୁ ସଂଗୃହୀତ ୨.୧ ନିୟୁତ ଡଲାର । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ଫଙ୍କୁ ଏହି ବିପୁଳ ଅର୍ଥ ସହାୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।