ମୃତ୍ୟୁଦଣ୍ଡ ବଦଳରେ ମୁକ୍ତି, ଗଣଦୁଷ୍କର୍ମକାରୀ ସପକ୍ଷରେ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୨ ଫେବ୍ରୁଆରୀରେ ଦିଲ୍ଲୀରେ ଜଣେ ୧୯ ବର୍ଷ ବୟସ୍କା ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲା । ୩ ଅଭିଯୁକ୍ତଙ୍କୁ ମୁକ୍ତି ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଗତ ୨୦୧୨ର ଏହି ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ଏବଂ ଦୁଷ୍କର୍ମକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରାଯାଇଥିଲା । ଗତ ଫେବ୍ରୁଆରୀ ୨୦୧୪ରେ ଅଭିଯୁକ୍ତ ରବି କୁମାର, ରାହୁଲ ଓ ବିନୋଦଙ୍କୁ ଦିଲ୍ଲୀର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଅପହରଣ, ଦୁଷ୍କର୍ମ ଓ ହତ୍ୟା ଆଦି ଦଫା ସେମାନଙ୍କ ବିରୋଧରେ ଲାଗିବା ସହ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ କୋର୍ଟ ଦେଇଥିଲେ ।

ସେହି ବର୍ଷ ଦିଲ୍ଲୀ ହାଇକୋର୍ଟ ମୃତ୍ୟୁ ଦଣ୍ଡାଦେଶକୁ କାଏମ ରଖିଥିଲେ । ନିଜ ରାୟରେ ହାଇକୋର୍ଟ କହିଥିଲେ ୩ ଅଭିଯୁକ୍ତ ସେମାନଙ୍କ ଶିକାର ଉଦ୍ଦେଶ୍ୟରେ ଗଳିକନ୍ଦିରେ ବୁଲୁଥିଲେ । ତେବେ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗତ ଏପ୍ରିଲ ୭ ତାରିଖରେ ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡାଦେଶ ନେଇ ରାୟ ସଂରକ୍ଷିତ ରଖିଥିଲେ । ଶେଷରେ ମାମଲାର ଶୁଣାଣି କରି ସିଜେଆଇ ୟୁ ୟୁ ଲଳିତ, ଜଷ୍ଟିସ ଏସ. ରବୀନ୍ଦ୍ର ଭଟ ଓ ଜଷ୍ଟିସ ବେଲା ଏମ. ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସେମାନଙ୍କୁ ମୁକ୍ତ କରିଛନ୍ତି ।

ପୀଡିତାଙ୍କ ଶବ ହରିଆଣାର ରେଓ୍ବାରି ଜିଲ୍ଲାରୁ ଠାବ ହୋଇଥିଲା । ଏନେଇ ଦିଲ୍ଲୀ ନଜାଫଗଡ ଚାଓ୍ବାଲା ପୋଲିସ ଷ୍ଟେସନରେ ଏକ ମାମଲା ଦାୟର ହୋଇଥିଲା । ଅଭିଯୁକ୍ତମାନଙ୍କ ମୃତ୍ୟୁ ଦଣ୍ଡାଦେଶ ସପକ୍ଷରେ ସୁପ୍ରିମକୋର୍ଟରେ ଦିଲ୍ଲୀ ପୋଲିସ ଆବେଦନ କରିଥିଲା । ସୁପ୍ରିମକୋର୍ଟଙ୍କ ଏହି ରାୟକୁ ମୃତକଙ୍କ ପରିବାର ସମାଲୋଚନା କରିଛନ୍ତି । ଦୀର୍ଘ ୧୨ ବର୍ଷର ନ୍ୟାୟିକ ଯୁଦ୍ଧର ଦୁଃଖଦ ଅନ୍ତ ହୋଇଥିବାରୁ ସେମାନେ ଉଦବେଗ ପ୍ରକାଶ କରିଛନ୍ତି ।