spot_img

Latest Posts

ବିମୁଦ୍ରୀକରଣ ନେଇ ଆଜି ରାୟ ଦେବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୬ ନଭେମ୍ବରରେ ୫୦୦ ଓ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ମାମଲାରେ ଆଜି ସୁପ୍ରିମକୋର୍ଟ ଦେଇପାରନ୍ତି ରାୟ । ନୋଟ ପ୍ରତ୍ୟାହାର ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଦାୟର ହୋଇଥିଲା ୫୮ଟି ପିଟିସନ। ରିଜର୍ଭ ବ୍ୟାଙ୍କର ତଥ୍ୟ ଅନୁସାରେ ବିମୁଦ୍ରୀକରଣ ନିଷ୍ପତ୍ତି ପରେ ମୋଟ ୧୫ ଦଶମିକ ୪୧ ଟ୍ରିଲିୟନ ଟଙ୍କା ମଧ୍ୟରୁ ୧୫ ଦଶମିକ ୩ ଟ୍ରିଲିୟନ ଟଙ୍କା ବ୍ୟାଙ୍କରେ ଜମା ହୋଇଥିଲା । ଏହାର ହାର ଥିଲା ୯୯ ଦଶମିକ ୩ ପ୍ରତିଶତ।

ବିମୁଦ୍ରୀକରଣ ପ୍ରସଙ୍ଗରେ କୋର୍ଟ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ପୂର୍ବରୁ କେନ୍ଦ୍ର ସରକାର ଦର୍ଶାଇଥିଲେ। ଗତ ଡିସେମ୍ବର ୭ତାରିଖରେ ଜଷ୍ଟିସ ଏସ.ଏ. ନାଜିରଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ଏହି ଖଣ୍ଡପୀଠର ଅନ୍ୟ ସଦସ୍ୟମାନେ ହେଲେ ଜଷ୍ଟିସ ବି.ଆର. ଗଭାଇ, ବି.ଭି. ନାଗରତ୍ନା, ଏ.ଏସ. ବୋପାନ୍ନା ଓ ଭି. ରମାସୁବ୍ରମଣ୍ୟମ ।

ନିଜ ଯୁକ୍ତିରେ କେନ୍ଦ୍ର ସରକାର ଦର୍ଶାଇଥିଲେ, ଭାବିଚିନ୍ତି ବିମୁଦ୍ରୀକରଣ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯାଇଛି ଏବଂ ଜାଲ୍ ନୋଟ, ଆତଙ୍କବାଦ କାର୍ଯ୍ୟକାଳାପରେ ବ୍ୟବହୃତ ହେଉଥିବା ପାଣ୍ଠି ଓ ଶୁଳ୍କ ଠକେଇର ମୁକାବିଲା ଲାଗି ନିଆଯାଉଥିବା ବୃହତ୍ତର ପଦକ୍ଷେପର ଏହା ଏକ ଅଂଶବିଶେଷ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଆଇନଜୀବୀ ପି. ଚିଦାମ୍ବରମ ବିରୋଧ କରିବା ସହ ବିକଳ୍ପ ବ୍ୟବସ୍ଥା ଚିନ୍ତା ନ କରି ସରକାର ବିମୁଦ୍ରୀକରଣ ପଦକ୍ଷେପ ନେଇଥିଲେ ବୋଲି କହିଥିଲେ।

ତେବେ ନିଜ ପକ୍ଷରୁ ଆଇନଗତ ଭାବେ ଏହି ପଦକ୍ଷେପ ନିଆଯାଇପାରିବ ନାହିଁ ଏବଂ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ସେଣ୍ଟ୍ରାଲ ବୋର୍ଡର ସୁପାରିସ ଅନୁସାରେ କରାଯିବା କଥା ବୋଲି ଯୁକ୍ତି ଦର୍ଶାଇଥିଲେ ଚିଦାମ୍ବରମ । ମାମଲାର ଶୁଣାଣି ବେଳେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ, ଅର୍ଥନୀତି ସମ୍ପର୍କିତ ନୀତି ପ୍ରସଙ୍ଗରେ ବିଚାର ବିଭାଗୀୟ ହସ୍ତକ୍ଷେପ ପ୍ରଯୁଜ୍ୟ ହେବ ନାହିଁ ।

Latest Posts

Don't Miss