ବଦଳିପାରେ ସୁପ୍ରିମକୋର୍ଟଙ୍କ ରାୟ, କହିଲେ ପୁଞ୍ଜିନିବେଶ କରିସାରିଛନ୍ତି ବାଣ ବ୍ୟବସାୟୀ

ନୂଆଦିଲ୍ଲୀ: ଏଥର ଦୀପାବଳୀରେ ଫୁଟିପାରେ ବାଣ । ବାଣ ଉପରେ ନିଷେଧାଦେଶ ସମ୍ପର୍କିତ ଏକ ପିଟିସନର ଜରୁରୀ ଶୁଣାଣି ଲାଗି ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି, ବାଣ ବ୍ୟବସାୟରେ ଲୋକେ ପୁଞ୍ଜିନିବେଶ କରିଛନ୍ତି । ଏହାକୁ ରୋକିବା ଠିକ୍ ନୁହେଁ । ମୁଖ୍ୟ ବିଚାରପତି ଜଷ୍ଟିସ ୟୁ.ୟୁ. ଲଳିତ ଓ ଜଷ୍ଟିସ ହେମନ୍ତ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ବର୍ତ୍ତମାନ ଏହି ମାମଲାର ଶୁଣାଣି କରାଯାଇପାରିବ ନାହିଁ ।

ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ବାଣ ଉପରେ ରୋକ୍ ଲଗାଇବା ଲାଗି ଆବେଦନ କରାଯାଇଛି । ବାଣ ବ୍ୟବସାୟରେ ଲୋକେ ନିଜ ନିଜର ଅର୍ଥ ଲଗାଇ ସାରିଥିବାରୁ ଏହାକୁ ରୋକିବା ଯଥାର୍ଥ ହେବ ନାହିଁ । ଏ ସମ୍ପର୍କିତ ଆବେଦନ ଅନ୍ତତଃ ଦୁଇ ମାସ ଆଗରୁ କରିବାର ଥିଲା । ଖଣ୍ଡପୀଠ କହିଛନ୍ତି, ଏ ସମ୍ପର୍କରେ ଦୀପାବଳି ପରେ କୌଣସି ନିଷ୍ପତ୍ତି କୋର୍ଟ ନେଇପାରନ୍ତି । ଦିଲ୍ଲୀ ଓ କେତେକ ରାଜ୍ୟରେ ବାଣ ଉପରେ ନିଷେଧାଦେଶ ଲାଗୁ ହୋଇଥିବା ନେଇ ନିଜ ପିଟିସନରେ ଆବେଦନକାରୀ ଦର୍ଶାଇଥିଲେ ।

ଜାନୁଆରୀ 1 ତାରିଖ ଯାଏ ବାଣ ଉପରେ ରୋକ ଲଗାଇବା ପାଇଁ ଗ୍ରୀନ କ୍ରାକର ବ୍ୟବସାୟୀଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣିକୁ ଦିଲ୍ଲୀ ହାଇକୋର୍ଟ ସ୍ଥଗିତ ରଖିବା ପରେ ସେମାନେ ସୁପ୍ରିମକୋର୍ଟ ନିକଟକୁ ଯାଇଥିଲେ । ବାଣ ମହଜୁଦ, ବିକ୍ରି ଓ ବ୍ୟବହାର ଉପରେ ଦିଲ୍ଲୀ ସରକାରଙ୍କ ନିଷେଧାଦେଶ ଉପରେ ରୋକ୍ ଲଗାଇବା ପାଇଁ ହୋଇଥିବା ଆବେଦନକୁ ଗତ 10 ତାରିଖରେ ଖାରଜ କରିଥିଲେ ସର୍ବୋଚ୍ଚ ଅଦାଲତ ।

ଗତବର୍ଷ ବାଣ ଉପରେ ନିଷେଧାଦେଶ ଲାଗୁ ସକାଶେ ହୋଇଥିବା ଆବେଦନକୁ ଅଗ୍ରାହ୍ୟ କରିବା ସହ କେବଳ ବ୍ୟାରିୟମ ସଲ୍ଟ ଥିବା ବାଣ ଉପରେ ନିଷେଧାଦେଶ ଲଗାଇଥିଲେ ସୁପ୍ରିମକୋର୍ଟ ।