ଯୌନକର୍ମୀଙ୍କ ପ୍ରତି ସଭ୍ୟ ଆଚରଣ ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

1 min read

ନୂଆଦିଲ୍ଲୀ: ଯୌନକର୍ମୀଙ୍କ ଉପରେ ପୋଲିସ ଦାଦାଗିରି ଚଳିବ ନାହିଁ । ଯୌନକର୍ମୀ ଓ ସେମାନଙ୍କ ସନ୍ତାନ ସନ୍ତତିଙ୍କ ପ୍ରତି ସଭ୍ୟ ଓ ଶାଳୀନତାପୂର୍ଣ୍ଣ ବ୍ୟବହାର କରିବା ଲାଗି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କୌଣସି ଯୌନକର୍ମୀଙ୍କ ପ୍ରତି ମୌଖିକ ବା ଶାରୀରିକ ଭାବେ ନିର୍ଯାତନା ନ ଦେବା ଲାଗି ତାଗିଦ କରିଛନ୍ତି ସର୍ବୋଚ୍ଚ ଅଦାଲତ । ଜଷ୍ଟିସ ଏଲ. ନାଗେଶ୍ୱର ରାଓ, ଜଷ୍ଟିସ ବି.ଆର.ଗାଭାଇ ଓ ଜଷ୍ଟିସ ଏ.ଏସ.ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଦେଶର ସମସ୍ତ ନାଗରିକଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରାଯାଇଛି ଏବଂ ଅନୈତିକ ଚାଲାଣ ନିରାକରଣ ଆଇନ ୧୯୫୬ ଅନୁସାରେ ପଦକ୍ଷେପ ନେବା ବେଳେ ଏଥିପ୍ରତି ଗୁରୁତ୍ୱ ଦେବାକୁ ହେବ ।

ଯୌନଗତ ନିର୍ଯାତନାର ଶିକାର ହୋଇଥିବା କୌଣସି ଯୌନକର୍ମୀଙ୍କୁ ମେଡିକାଲ ସମେତ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯୌନକର୍ମୀଙ୍କ ଅଧିକାରର ସୁରକ୍ଷା ଲାଗି ପୋଲିସ ଓ ଅନ୍ୟାନ୍ୟ ଆଇନ କାର୍ଯ୍ୟକାରୀ ସଂସ୍ଥାଗୁଡିକୁ ସଚେତନ କରାଯିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ସେହିପରି ଗିରଫଦାରୀ, ରେଡ୍ ଓ ରେସ୍କ୍ୟୁ ଅପରେସନ ସମୟରେ ଯୌନକର୍ମୀଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନ ରଖିବା ଲାଗି କୋର୍ଟ କହିଛନ୍ତି । ଏନେଇ ମିଡିଆ ଉଦ୍ଦେଶ୍ୟରେ ଉପଯୁକ୍ତ ଗାଇଡଲାଇନ ଜାରି କରିବା ଲାଗି ପ୍ରେସ କାଉନସିଲ ଅଫ ଇଣ୍ଡିଆକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ସେମାନଙ୍କର କୌଣସି ଫଟୋକୁ ପ୍ରକାଶନ ଓ ଟେଲିକାଷ୍ଟ ଉପରେ ବି ରୋକ ଲଗାଇବା ଦିଗରେ ପଦକ୍ଷେପ ନେବାକୁ ପିସିଆଇକୁ କୋର୍ଟ କହିଛନ୍ତି ।

ନୂତନ ଭାବେ ଲାଗୁ ହୋଇଥିବା ଆଇପିସିର ୩୫୪-ସି ଧାରା ଅନୁସାରେ ଯୌନକର୍ମୀଙ୍କ ଫଟୋ ପ୍ରକାଶନ କ୍ଷେତ୍ରରେ ଇଲେକ୍ଟ୍ରୋନିକ ମିଡିଆ ବିରୋଧରେ ଯେଉଁ କଟକଣା ରହିଛି, ତାହାକୁ କଡ଼ାକଡ଼ି ପାଳନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବିଭିନ୍ନ ସ୍ଥାନରେ ରହିଥିବା ଆଶ୍ରୟସ୍ଥଳୀ ଗୁଡିକ ଉପରେ ଏକ ସର୍ଭେ କରିବା ଲାଗି ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।