ମାତୃତ୍ବକାଳୀନ ଛୁଟି ଏକ ପ୍ରଜନନଗତ ଅଧିକାର, କୌଣସି ମହିଳାଙ୍କୁ ଏହି ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ: ସୁପ୍ରିମକୋର୍ଟ
1 min read
ନୂଆଦିଲ୍ଲୀ: ମାତୃତ୍ବକାଳୀନ ଛୁଟି ଏକ ପ୍ରଜନନଗତ ଅଧିକାର। କୌଣସି ମହିଳାଙ୍କୁ ଏହି ଅଧିକାରରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ଏକ ମାମଲାର ଶୁଣାଣି କରି କୋର୍ଟ କହିଛନ୍ତି- ମାତୃତ୍ବକାଳୀନ ଛୁଟି ମାତୃତ୍ବଜନିତ ସୁବିଧାର ଏକ ଅବିଚ୍ଛେଦ ଅଂଶ। ତାମିଲନାଡୁର ଜଣେ ମହିଳାଙ୍କ ଆବେଦନର ଶୁଣାଣି କରି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ତାମିଲନାଡୁର ଜଣେ ସରକାରୀ ମହିଳା କର୍ମଚାରୀ ଦ୍ବିତୀୟ ବିବାହ କରିବା ପରେ ସେ ଏକ ସନ୍ତାନର ଜନନୀ ହୋଇଥିଲେ। ମାତ୍ର ତାଙ୍କୁ ମାତୃତ୍ବକାଳୀନ ଛୁଟି ପ୍ରଦାନ କରି ନଥିଲେ କର୍ତ୍ତୃପକ୍ଷ। ପୂର୍ବ ବିବାହରେ ତାଙ୍କର ଦୁଇ ଜଣ ସନ୍ତାନ ଥିବାରୁ ତାଙ୍କୁ ଆଉ ମାତୃତ୍ବକାଳୀନ ଛୁଟି ଦିଆଯାଇପାରିବ ନାହିଁ ବୋଲି କର୍ତ୍ତୃପକ୍ଷ ଅଗ୍ରାହ୍ୟ କରିଥିଲେ। ପ୍ରଥମ ଦୁଇଟି ସନ୍ତାନ କ୍ଷେତ୍ରରେ ହିଁ ମାତୃତ୍ବକାଳୀନ ଛୁଟି ମିଳିପାରିବ ବୋଲି ତାମିଲନାଡୁରେ ନିୟମ ରହିଛି। ପିଟିସନର ଅଭିଯୋଗ କରିଥିଲେ ତାଙ୍କର ପ୍ରଥମ ଦୁଇଟି ସନ୍ତାନ କ୍ଷେତ୍ରରେ ଛୁଟି ମିଳି ନଥିଲା। ଏହା ସହ ଦ୍ବିତୀୟ ବିବାହ କରିବା ପରେ ସେ ସରକାରୀ ଚାକିରି କରିଥିଲେ। ରାଜ୍ୟ ସରକାର ମହିଳାଙ୍କ ମୌଳିକ ଅଧିକାର କ୍ଷୁଣ୍ଣ କରୁଥିବା ନେଇ ଯୁକ୍ତି ଦର୍ଶାଇଥିଲେ ଆବେଦନକାରୀଙ୍କ ଓକିଲ କେ.ଭି. ମୁଥୁକୁମାର।