କରୋନା ସ୍ଥିତିକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, କଣ ରହିଛି ଜାତୀୟ ପ୍ଲାନ୍ ?

1 min read

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କରୋନା ଜନିତ ସଂକଟ ଗମ୍ଭୀର ହେବାରେ ଲାଗିଛି । ଦେଶର ବିଭିନ୍ନ ସ୍ଥାନରେ ଅମ୍ଲଜାନ ସଂକଟ ସୃଷ୍ଟି ହେଲାଣି । ଏହାରି ଭିତରେ ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ କରିଛନ୍ତି । ନିଜ ତରଫରୁ ମାମଲାକୁ ବିଚାର ପାଇଁ ଗ୍ରହଣ କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଜାତୀୟସ୍ତରରେ କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ କ’ଣ ପ୍ଲାନ୍ ରହିଛି ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚାରିଛନ୍ତି ।

ସଲିସିଟର ଜେନରାଲ ତୁଷାର ମେହଟା ଗୁରୁବାର ଦିନ ସର୍ବୋଚ୍ଚ ଅଦାଲତଙ୍କୁ କହିଥିଲେ ଯେ, ଦେଶ ଏବେ ଅମ୍ଲଜାନ ଆବଶ୍ୟକ କରୁଛି । ସୁପ୍ରିମକୋର୍ଟ ଅମ୍ଲଜାନ ଯୋଗାଣ ଓ ଆବଶ୍ୟକ ଔଷଧ ପ୍ରସଙ୍ଗକୁ ନିଜ ତରଫରୁ ବିଚାରକୁ ନେଇ କେନ୍ଦ୍ରକୁ ଏହି ନୋଟିସ ଜାରି କରିଛନ୍ତି । ପ୍ରଧାନ ବିଚାରପତି ଏସଏ ବୋବଡେ କହିଛନ୍ତି ଯେ, ଅଦଲାତ ଶୁକ୍ରବାର ଦିନ ମାମଲାର ଶୁଣାଣି କରିବେ । ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ସଲିସିଟର ଜେନରାଲଙ୍କ କୋଭିଡ୍ ଉପରେ ରାଷ୍ଟ୍ରୀୟ ଯୋଜନା ବନାଇ ଅଦାଲତଙ୍କ ସମ୍ମୁଖରେ ରଖିବାକୁ କହିଛନ୍ତି ।

ଏହି ପ୍ରସଙ୍ଗ ଉପରେ ଜାତୀୟ ନୀତି ଚାହାନ୍ତି ସୁପ୍ରିମକୋର୍ଟ୍

କୋଭିଡ୍-୧୯କୁ ନେଇ ଅଲଗା ଅଲଗା ୬ଟି ହାଇକୋର୍ଟଙ୍କ ଶୁଣାଣି ଭ୍ରମ ସୃଷ୍ଟି କରିପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ତେଣୁ ସୁପ୍ରିମକୋର୍ଟ ଅମ୍ଲଜାନ, ଆବଶ୍ୟକ ଔଷଧ ଓ ଟିକାକରଣ ଭଳି ପ୍ରସଙ୍ଗ ଉପରେ ଜାତୀୟ ନୀତି ଚାହାନ୍ତି । କୋର୍ଟ ଏହି ମାମଲାରେ ବରିଷ୍ଠ ଓକିଲ ହରିଶ ସାଲଭେଙ୍କୁ ଅଦାଲତ ମିତ୍ର ଭାବେ ନିଯୁକ୍ତ କରିଛନ୍ତି । ଏହା ସହ କୋଭିଡ୍ ମହାମାରୀ ମଧ୍ୟରେ ଲକଡାଉନ୍ ପାଇଁ ହାଇକୋର୍ଟଙ୍କ ପାଖରେ ଆଦେଶ ଦେବାର ନ୍ୟାୟିକ କ୍ଷମତା ରହିଛି କି ନାହିଁ ତାହାର ମଧ୍ୟ ସୁପ୍ରିମକୋର୍ଟ ସମୀକ୍ଷା କରିବେ । ସୂଚନାଯୋଗ୍ୟ ଯେ, ନିକଟରେ ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶର ୫ ସହରରେ ଲକାଡାଉନ୍ ଲଗାଇବାକୁ ଆଦେଶ ଦେଇଥିଲେ । ଯାହାକୁ ବିରୋଧ କରି ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଥିଲେ ।

ସୂଚନାଯୋଗ୍ୟ ଯେ,ଭାରତରେ କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ଅଧିକରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଗୋଟିଏ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର କରିଲାଣି । ଦେଶର ଅନେକ ସହରରେ ଅକ୍ସିଜେନ୍ ଅଭାବ କାରଣରୁ ଲୋକଙ୍କ ଜୀବନ ମଧ୍ୟ ଯାଉଛି ।

Leave a Reply