ବିରୋଧୀଙ୍କୁ ସୁରଙ୍କ କଟାକ୍ଷ, କହିଲେ ବାଚସ୍ପତିଙ୍କ ଚେୟାରକୁ ସମ୍ମାନ ଦିଅ

1 min read

ଭୁବନେଶ୍ବର: ବିଧାନସଭାରେ ବିଜେପିର ହୀନ ଆଚରଣକୁ ସମାଲୋଚନା କଲେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁରେଶ କହିଛନ୍ତି ବାଚସ୍ପତିଙ୍କ ଚେୟାରକୁ ଅସମ୍ମାନ କରିଛି ବିଜେପି । ଚେୟାର ଉପରକୁ ଡାଲି ଫୋପାଡ଼ିବା ଠିକ ନୁହେଁ । ଏପରି ଆଚରଣ ଦେଖାଇ ଗୃହର ମର୍ଯ୍ୟାଦା ହାନୀ କରିଛନ୍ତି ବିଜେପି ବିଧାୟକ । ବରିଷ୍ଠ ବିଧାୟକ ହୋଇ ଏପରି ଆଚରଣ କରିବା ଠିକ ନୁହେଁ  । ବିଧାୟକ ରାଜନ ଏକ୍କା ମଧ୍ୟ ବିଜେପିକୁ ସମାଲୋଚନା କରିଛନ୍ତି । ବାଚସ୍ପତିଙ୍କ ଚେୟାରକୁ ଡାଲି ଫୋପlଡ଼ିବା ଏକ ହିଂସ୍ର ଆଚରଣ l ଏହା ଦୁର୍ଭାଗ୍ୟଜନ ବୋଲି କହିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ଗତକାଲି ବିଧାନସଭା ଇତିହାସରେ କଳାଦିନ ଥିଲା ବୋଲି ପ୍ରଶାନ୍ତ କହିଛନ୍ତି । ସେପଟେ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି।

ଗଣତନ୍ତ୍ରର ମନ୍ଦିରରେ ବିଜେପିର ହୀନ ଆଚରଣକୁ ସବୁଠି ନିନ୍ଦା । ସାରା ରାଜ୍ୟରେ ବିଜେପି ବିଧାୟକଙ୍କ ଆଚରଣକୁ ସମାଲୋଚନା କରାଯାଉଛି । ବିଧାନସଭାର ଗାରିମା ରହିଛି, ତାହା ନଷ୍ଟ କରିବାକୁ ବିଜେପି ଅପଉଦ୍ୟମ କରିଛି । ଜଣେ ମହିଳା ବାଚସ୍ପତିଙ୍କ ଉପରକୁ ଏଭଳି ଜିନିଷ ଫୋପାଡ଼ି ବିଜେପି ନିନ୍ଦନୀୟ କାମ କରିଛି । ସ୍ବାଧୀନୋତ୍ତର ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତିଙ୍କୁ ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରି କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ବିଜେପି । ଏହାକୁ ଯେତେ ସମାଲୋଚନା କଲେ ବି କମ ପଡ଼ିଯିବ ବୋଲି ବିଜେଡି କହିଛି  ।

ଗତକାଲି ଗୃହରେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ଖର୍ଚ୍ଚ ଦାବି ରଖୁଥିବା ବେଳେ ଘଟିଥିଲା ଅଭାବନୀୟ ଘଟଣା । ପଲିଥିନରେ ଆଣିଥିବା ଡାଲି ଦେଖାଇ ବାଚସ୍ପତିଙ୍କ ପୋଡିୟମ ଉପରକୁ ଫିଙ୍ଗିଥିଲେ ବିଜେପି ବିଧାୟକ। ପଦ ମର୍ଯାଦା ଓ ପଦବିର ଗରିମା ଭୁଲି ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରି ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ । ଡାଲି ଫିଙ୍ଗିଥିବା ଦୁଇ ବିଧାୟକଙ୍କୁ ନିଲମ୍ବନ କରିବାକୁ ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି। ପ୍ରସ୍ତାବ ଆଧାରରେ ଦୁଇ ବିଧାୟକଙ୍କୁ ବିଧାନସଭାର ଚଳିତ ଅଧିବେଶନରୁ ନିଲମ୍ବିତ କରିଛନ୍ତି ବାଚସ୍ପତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ ମୁକେଶ ମହାଲିଙ୍ଗଙ୍କୁ ଚଳିତ ଅଧିବେଶନ ଲାଗି ସସପେଣ୍ଡ କରାଯାଇଛି ।