ସୂର୍ଯ୍ୟକିରଣ ଶୋ’ ପାଇଁ ପ୍ରସ୍ତୁତି, ଭୁବନେଶ୍ୱରରେ ପହଞ୍ଚିଲା N-୩୨ ବିମାନ

1 min read

ଭୁବନେଶ୍ୱର: ଓଡ଼ିଶାରେ ହେବ ସୂର୍ଯ୍ୟ କିରଣ ଶୋ’ । ଭୁବନେଶ୍ୱରର ବିମାନ ବନ୍ଦରରେ ପହଞ୍ଚିଛି N-୩୨ ବିମାନ । ଏୟାର ଶୋ’ ପାଇଁ ଆଜି ସମସ୍ତ ବିମାନ ଭୁବନେଶ୍ୱରରେ ପହଞ୍ଚିବ ବୋଲି କହିଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ । ବାୟୁସେନାର ଇଣ୍ଡକସନ ଟିମ୍ ନେଇ ଆସିଥିବା N-32 ବିମାନ ଭୁବନେଶ୍ୱର ବିମାନ ବନ୍ଦରରେ ଅବତରଣ କରିସାରିଛି । ସୂର୍ଯ୍ୟକିରଣ ଶୋ’ରେ ଭାଗ ନେବାକୁ ଥିବା ୧୧ଟି ହକ୍ ବିମାନ କର୍ଣ୍ଣାଟକ ବିଦାରରୁ ଆସୁଛି । ଏୟାର ଶୋ ପାଇଁ ଯନ୍ତ୍ରାଂଶ ନେଇ ଆସୁଥିବା C-17 ଗ୍ଲୋବ ମାଷ୍ଟର ମଧ୍ୟ ଆଜି ପହଞ୍ଚିବ ।

ଆସନ୍ତାକାଲି ଶୋ’ ହେବାକୁ ଥିବା ସ୍ଥାନରେ ମ୍ୟାପିଂ କରିବ ଏୟାରଫୋର୍ସ । ଭୁବନେଶ୍ୱରରେ ୧୫ ତାରିଖରେ ଫୁଲ ଡ୍ରେସ ରିହରସଲ ହେବ । ୧୭ ତାରିଖ ପୁରୀରେ ହେବ ଫୁଲ ଡ୍ରେସ ରିହରସଲ । ତେବେ ୧୬ ତାରିଖରେ ଭୁବନେଶ୍ବରରେ ଏୟାର ଶୋ ହେବାକୁ ଥିବା ବେଳେ, ଏଥିପାଇଁ ବର୍ତ୍ତମାନ ସୁଦ୍ଧା ଅନୁମତି ମିଳିନି ବୋଲି କହିଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ । ଭୁବନେଶ୍ବର ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଅନୁମତି ଦେବ ବୋଲି ସେ କହିଛନ୍ତି । ସେପଟେ ଏୟାର ଶୋ ପାଇଁ ଗ୍ରାଉଣ୍ଡର ସ୍ଥିତି ପରଖିଛନ୍ତି ପୋଲିସ କମିଶନର ଓ ଡିସିପି । ସୁରକ୍ଷା ବ୍ୟବସ୍ଥା ଓ ଟ୍ରାଫିକ ବ୍ୟବସ୍ଥା କିପରି ହେବ ସେନେଇ ସମୀକ୍ଷା କରାଯାଇଛି ।