ବନ୍ଧାହେଲେ ଢେଙ୍କାନାଳ ଜିଲ୍ଲା ଗଦାଶିଳାର ନିଲମ୍ବିତ ଆରଆଇ ରଞ୍ଜନ ପାଣିଗ୍ରାହୀ

ଢେଙ୍କାନାଳ: ବନ୍ଧାହେଲେ ଢେଙ୍କାନାଳ ଜିଲ୍ଲା ଗଦାଶିଳାର ନିଲମ୍ବିତ ଆରଆଇ ରଞ୍ଜନ ପାଣିଗ୍ରାହୀ । ଢେଙ୍କାନାଳ ସହରର କାଲଟାକ୍ସ ପାଖରୁ ରଞ୍ଜନଙ୍କୁ ଗିରଫ କରିଛି ଢେଙ୍କାନାଳ ସଦର ଥାନା ପୋଲିସ । ବାହାରକୁ ଫେରାର ହେବା ପାଇଁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ଗିରଫ କରିଛି ପୋଲିସ । ଚାକିରିରେ ଥିବା ବେଳେ କାର୍ଯ୍ୟାଳୟରେ ମଦ ଓ ମହିଳାଙ୍କୁ ନେଇ ରଞ୍ଜନ ବିବାଦକୁ ଆସିଥିଲେ ।

ନନ୍ଦିଘୋଷ ଟିଭିରେ ଅନୁସଂଧାନମୂଳକ ଖବର ପ୍ରସାରଣ ପରେ ତାଙ୍କୁ ରାଜସ୍ୱ ସଚିବ ଚାକିରିରୁ ନିଲମ୍ବନ କରିଥିଲେ । ତାଙ୍କ ବିରୋଧରେ ତହସିଲଦାର ଥାନାରେ ଏତଲା ଦେଇଥିବା ବେଳେ ପରେପରେ ଏତଲା ଦେଇଥିଲେ ଭିଡିଓରେ ଥିବା ମହିଳା । ୧୪ ବର୍ଷ ଧରି ରଞ୍ଜନ ପାଣିଗ୍ରାହୀ ତାଙ୍କୁ ନିର୍ଯାତନା ଦେଇଥିଲେ ବୋଲି ମୁହଁ ଖୋଲିଥିଲେ ପୀଡ଼ିତା ମହିଳା । ପୂର୍ବରୁ ବାରମ୍ବାର ତାଙ୍କ ଗର୍ଭ ନଷ୍ଟ କରାଯାଇଥିବା ବେଳେ ଏବେ ସେ ଦୁଇ ମାସର ଗର୍ଭବତୀ ଥିବା କହିଥିଲେ ।

ଏଥିସହ ଜୀବନ ପ୍ରତି ଭୟ ଥିବା ଦର୍ଶାଇ ଆରଆଇଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ପୀଡ଼ିତା । ଅଭିଯୋଗ ପରେ ଢେଙ୍କାନାଳ ପୋଲିସ ଦୁଇଟି ଟିମ୍ ଗଠନ କରି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଶେଷରେ ନିଲମ୍ବିତ ଆର୍‌ଆଇ ରଞ୍ଜନ ପାଣିଗ୍ରାହୀଙ୍କୁ ପୋଲିସ ଗିରଫ କରିଛି ।

Leave a Reply