ସହିଦନଗର ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଭୁବନେଶ୍ୱର: ଟଙ୍କା କରଜକୁ ନେଇ ଭୁବନେଶ୍ୱର ସହିଦନଗର ଥାନା ପରିସରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ମୃତକ ହେଲେ ଗାଡ଼କଣର ବିଚିତ୍ର ପଲେଇ । ନାଲକୋ ଛକରେ ବିଚିତ୍ରଙ୍କର ଏକ ଗାଙ୍ଗୁରାମ ଦୋକାନ ଥିଲା । ଧାର ଟଙ୍କା ଫେରାଇବାରେ ବିଳମ୍ବ କରିବାରୁ ବିଚିତ୍ରଙ୍କୁ କେହି ଅପହରଣ କରି କାରରେ ନେଉଥିବା ବେଳେ ବାଣୀବିହାର ନିକଟରେ ଖସିବାକୁ ଉଦ୍ୟମ କରିଥିଲେ । ଗାଡ଼ି ଭିତରେ ଥିବା ଜଣେ ମହିଳା ଓ ପୁରୁଷଙ୍କ ସହ ମୁହାଁମୁହିଁ ହୋଇଥିଲା । ସେତିକିବେଳେ କାରରୁ ଖସିପଡ଼ିଥିଲେ ବିଚିତ୍ର । ଏହାପରେ ଅପରିଚିତ ବ୍ୟକ୍ତିଙ୍କ ବାଇକ ଜରିଆରେ ସେ ଥାନାକୁ ଯିବାକୁ ଚେଷ୍ଟା କଲା ବେଳେ ଥାନା ପରିସରରେ ପଡ଼ିଯାଇଥିଲେ ।

ଗୁରୁତର ଅବସ୍ଥାରେ ବିଚିତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସମସ୍ତ ସିସିଟିଭି ଯାଞ୍ଚ ବି କରାଯାଉଛି । ଗତକାଲି ରାତି ୯.୩୦ ବେଳେ ଘଟିଛି ଅଘଟଣ । ସନ୍ଦିଗ୍ଧ ଅପହରଣକାରୀ ଶାନ୍ତିପଲ୍ଲୀ ବସ୍ତିର ହୋଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।