ଦୋକାନରେ ପସି ହତ୍ୟା କରିଥିଲେ, ଏବେ ବନ୍ଧା ହେଲେ

ଉଦୟପୁର: ରାଜସ୍ଥାନର ଉଦୟପୁରରେ ଦିନ ଦିପ୍ରହରରେ ହୋଇଥିବା ବିଭତ୍ସ ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ରାଜସମନ୍ଦ ଜିଲ୍ଲାର ଭିମା ଅଞ୍ଚଳରୁ ପୋଲିସ ଗିରଫ କରିଛି  । ହତ୍ୟା ପ୍ରତିବାଦରେ ବିଭିନ୍ନ ସ୍ଥାନରେ ହିନ୍ଦୁ ସଂଗଠନ ପକ୍ଷରୁ ରାସ୍ତାରେ ଟାୟାର ଜଳାଯିବା ସହ ଆନ୍ଦୋଳନ କରାଯାଉଛି । ସମ୍ପୂର୍ଣ୍ଣ ଅଞ୍ଚଳ ଉତ୍ତେଜନା ପୂର୍ଣ୍ଣ ରହିଛି । ଗିରଫ ପରେ ଏବେବି ବିଦ୍ରୋହ ଜାରି ରହିଛି  । ବିରୋଧ କାରଣରୁ ଦୋକାନ ବଜାର ବନ୍ଦ କରିଦିଆ ଯାଇଛି  । ପୋଲିସ ଘଟଣାକୁ ଗୁରୁତର ସହ ନେଇ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ କରିଦେଇଛି  ।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଲୋକମାନଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି  । ସେ କହିଛନ୍ତି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ  । ପୋଲିସର ସୂଚନା ମୁତାବକ, ଧାନମଣ୍ଡି ଥାନା ଅଞ୍ଚଳରେ ହୋଇଥିବା ଘଟଣା ପରେ ଉଦୟପୁରର ଧାନମଣ୍ଡି, ଘଣ୍ଟାଘର, ହାଥିପୋଲ, ଅମ୍ବାମାତା, ସୁରଜପୋଲ, ଭୁପାଲପୁରା ଏବଂ ସବିନା ପୋଲିସ ଥାନା ଅଞ୍ଚଳରେ ଗମନାଗମନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି  । ଆଗାମୀ ଅର୍ଡର ଆସିବା ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରେ କର୍ଫ୍ୟୁ ଜାରି ରହିବ  । ସୂଚନାଥାଉକି, ଉଦୟପୁର ସହର ଧାନମଣ୍ଡି ଥାନା ଅଞ୍ଚଳର ମାଲଦାସ ଷ୍ଟ୍ରିଟରେ ଜଣେ ଟେଲରଙ୍କ ଗଳାକାଟି ହତ୍ୟା କରାଯାଇଥିଲା  ।

କୁହାଯାଉଛି ଯେ ମୃତକଙ୍କ ୮ ବର୍ଷର ପୁଅ ନୁପୁର ଶର୍ମାଙ୍କ ସମର୍ଥନରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ । ଏଥିରେ ଉତ୍ତେଜିତ ହୋଇ ଅଭିଯୁକ୍ତମାନେ ତାଙ୍କ ପିତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଦେଲେ । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାଁ ହେଉଛି କହ୍ନେୟାଲାଲ ତେଲି ଏବଂ ସେ ଭୁତମହଲ ପାଖରେ ଟେଲରିଂ ଦୋକାନ କରିଥିଲେ  । ତାଙ୍କ ଦୋକାନ ଭିତରେ ପସି ଅତି ନୃସଂସ ଭାବେ ଦିନ ଦିପ୍ରହରେ ହତ୍ୟା କରାଯାଇଥିଲା ।  ହତ୍ୟା କରିଥିବା ଜଣେ ଅଭିଯୁକ୍ତର ନାଁ ହେଉଛି ରିୟାଜ ମହମ୍ମଦ  । ସେ ଭିଲୱାଡର ଅସିନ୍ଦ ଅଞ୍ଚଳର ବାସିନ୍ଦା । ଅନ୍ୟ ଅଭିଯୁକ୍ତର ନାଁ ଗୋସ ମହମ୍ମଦ  । ସେ ଉଦୟପୁରର ଖାଞ୍ଜିପିର ଅଞ୍ଚଳରେ ରହୁଥିଲା  ।

ଅଭିଯୁକ୍ତଙ୍କୁ ଧରିଥିବା ପୋଲିସକର୍ମୀ ଗଜେନ୍ଦ୍ର ସିଂହ କହିଛନ୍ତି, ଦୁଇ ଅଭିଯୁକ୍ତ ନାକାବନ୍ଦିରେ ଧରା ପଡିଛନ୍ତି  । ଦୁଇଜଣ ମୋଟର ସାଇକେଲରେ ପଳାୟନ କରୁଥିଲେ  । ଦୁଇଜଣଙ୍କୁ କାବୁ କରି ପୋଲିସ ଉଦୟପୁର ଅଭିମୁଖେ ଯାଇଛି  । ସେମାନଙ୍କ ପାଖରୁ କୌଣସି ଅସ୍ତ୍ରଶସ୍ତ୍ର ମିଳିନାହିଁ  । ତେବେ ଏହି ଦୁଇ ଅଭିଯୁକ୍ତଙ୍କୁ ଜାତୀୟ ତଦନ୍ତକାରୀ ସଂସସ୍ଥା ଏନଆଇଏ ପଚରା ଉଚରା କରିବ  । ସନ୍ଦେହ କରାଯାଉଛି ଯେ ଯେଉଁଭଳି ଭାବେ ସେମାନେ ଗଳା କାଟି ହତ୍ୟା କରିଛନ୍ତି ତାହା ତାଲିବାନି ପ୍ୟାଟର୍ଣ୍ଣ ଭଳି ପରିଲକ୍ଷିତ ହେଉଛି  । ଏମାନଙ୍କର ଆତଙ୍କବାଦୀଙ୍କ ସହ ଲିଙ୍କ ଅଛି କି ଅନ୍ୟ ଭାରତ ବିରୋଧୀ ସଂଗଠନ ସହ ଲିଙ୍କ ଅଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ  ।