ଆମେରିକା ସହ ତାଇୱାନର ସମ୍ପର୍କକୁ ନେଇ ଚୀନ୍ ଖପ୍ପା, ସୈନ୍ୟ ଅଭ୍ୟାସ ପାଇଁ ତାଇୱାନ ସୀମାରେ ନିୟୋଜିତ କଲା ଯୁଦ୍ଧପୋତ

1 min read

ବେଜିଙ୍ଗ: ତାଇୱାନ ଆମେରିକା ସହ ସମ୍ପର୍କ ଦୃଢ଼ କରିବା ଦେଖି ବିଚଳିତ ହୋଇଯାଇଛି ଚିନ୍ । ଫଳସ୍ୱରୂପ ତାଇୱାନକୁ ନିଜର ଶକ୍ତି ଦେଖାଇବା ପାଇଁ ସୈନ୍ୟ ଅଭ୍ୟାସର ଚେତାବନୀ ଦେଇଛି । ସୈନ୍ୟ ଅଭ୍ୟାସ ପାଇଁ ଶନିବାର ଚୀନ୍ ତାଇୱାନ ଅଭିମୁଖେ ବିପୁଳ ସଂଖ୍ୟାରେ ଯୁଦ୍ଧପୋତ ଏବଂ ଯୁଦ୍ଧ ବିମାନ ପଠାଇଛି । ତାଇୱାନ ସରକାର ଏନେଇ ସୂଚନା ଦେଇଛନ୍ତି । ଏହାଦ୍ୱାରା ଉଭୟ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଛି । ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନ ଆମେରିକୀୟ ପ୍ରତିନିଧି ମଣ୍ଡଳର ଅଧ୍ୟକ୍ଷଙ୍କୁ ଭେଟି ସ୍ୱଦେଶ ଫେରିବା ପରେ ଚୀନ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ସୂଚନାଥାଉକି ଚୀନ୍ ଦାବି କରି ଆସୁଛି ଯେ ତାଇୱାନ ତାର ଅଂଶବିଶେଷ ବୋଲି । ହେଲେ ତାଇୱାନ ନିଜକୁ ସ୍ୱତନ୍ତ୍ର ଦେଶ ବୋଲି ମାନି ଆସୁଛି । ଏହି କାରଣରୁ ଉଭୟ ଦେଶ ମଧ୍ୟରେ ତିକ୍ତତା ଲାଗି ରହିଛି । ସୂଚନାନୁସାରେ, ଚୀନ ଏହି ସୈନ୍ୟ ଅଭ୍ୟାସରେ ନିଜ ଯୁଦ୍ଧ ବିମାନକୁ ତାଇୱାନର ଜଳ ସୀମା ଆଖପାଖ ଏବଂ ତାଇୱାନର ଉତ୍ତର, ଦକ୍ଷିଣ ଏବଂ ପୂର୍ବରେ ଅଭ୍ୟାସ କରିବ । ସେହିପରି ଚୀନ ଏହି ଅଭ୍ୟାସ ଜରିଆରେ ତାଇୱାନକୁ ନିଜ ସୈନ୍ୟ ଶକ୍ତି ଦେଖାଇବା ସହ ପୁଣିଥରେ ଯୁଦ୍ଧ ଚେତାବନୀ ଦେବାକୁ ଚାହୁଁଛି । ଚୀନ୍ ସେନା ପିଏଲଏ କହିଛି ଯେ ଯୁଦ୍ଧ ପ୍ରସ୍ତୁତି ସହ ସମ୍ବନ୍ଧିତ ତିନି ଦିବସୀୟ ପେଟ୍ରୋଲିଂ ଆରମ୍ଭ କରାଯିବା ତାଇୱାନ ଲୋକଙ୍କ ପାଇଁ ଚେତାବନୀ ଅଟେ ।

ପିଏଲଏ ଏହି ସଙ୍କେତ ଦେଇ ନାହିଁ ଯେ ଗସ୍ତରେ ଗତଥର ଭଳି ମିସାଇଲ ସାମିଲ କରିବ କି ନାହିଁ, ଯାହାଦ୍ୱାରା ସମୁଦ୍ର ଏବଂ ଆକାଶ ପଥରେ ପରିବହନ ପ୍ରଭାବିତ ହୋଇଥିଲା । ଆମେରିକୀୟ ପ୍ରତିନିଧି ସଭାର ଅଧ୍ୟକ୍ଷ ମାକ୍କାର୍ଥି ଗୁରୁବାର କାଲିଫୋର୍ଣ୍ଣିଆରେ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନଙ୍କ ସହ ବୈଠକ କରିଥିଲେ । ଏଥିସହିତ ସେ ସେହି ବିଦେଶୀ ଜନପ୍ରତିନିଧିମାନଙ୍କ ସହ ସାମିଲ ହୋଇଯାଇଥିଲେ, ଯେଉଁମାନେ ଚୀନର ଧମକ ମଧ୍ୟରେ ୱେନଙ୍କୁ ଭେଟିଥିଲେ । ତାଇୱାନ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ତାଇୱାନ ସୀମା ପାଖରେ ଶନିବାର ଆଠଟି ଯୁଦ୍ଧପୋତ ଏବଂ ୪୨ଟି ବିମାନ ଦେଖାଯାଇଛି ।

ଏଥିମଧ୍ୟରୁ ୨୯ଟି ସୀମାକୁ ପାର୍ କରିଛି । ଏହି ରେଖା ତାଇୱାନ ଏବଂ ମୁଖ୍ୟ ଭୂମୀ ଚିନକୁ ଅଲଗା କରିଥାଏ । ପିଏଲଏ ଏକ ବୟାନରେ କହିଛି ଯେ ଜଏଣ୍ଟ ସ୍ୱର୍ଡ ଅଭ୍ୟାସ ରାଷ୍ଟ୍ରୀୟ ସାର୍ବଭମୌତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ରକ୍ଷା ପାଇଁ ଜରୁରୀ ଅଟେ । ସେହିପରି ତାଇୱାନ ସେନା କହିଛି ଯେ ମିସାଇଲ ରକ୍ଷା ପ୍ରଣାଳୀକୁ ସକ୍ରିୟ କରି ଦିଆଯାଇଛି ଏବଂ ଚାଇନିଜ୍ ବିମାନକୁ ଚିହ୍ନଟ କରିବା ପାଇଁ ଆକାଶ ଏବଂ ସମୁଦ୍ରୀ ପେଟ୍ରୋଲିଂ ଦଳକୁ ପଠାଯାଇଛି ।