ତାମିଲନାଡ଼ୁରେ ସିବିଆଇ ବାଟ ବନ୍ଦ, ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କ ଅନୁମତି ନେବ ତଦନ୍ତକାରୀ ସଂସ୍ଥା

ଚେନ୍ନାଇ: ତାମିଲନାଡ଼ୁରେ ସିବିଆଇ ତଦନ୍ତ କରିବାକୁ ହେଲେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ । ନହେଲେ ରାଜ୍ୟରେ ପଶି ତଦନ୍ତ କରିବା ସିବିଆଇ ପାଇଁ ମୁସ୍କିଲ ହେବ । ତଦନ୍ତ ପାଇଁ ସିବିଆଇ ସହ ଥିବା ସାଧାରଣ ସହମତି ନିୟମକୁ ପ୍ରତ୍ୟାହାର କରି ନେଇଛନ୍ତି ତାମିଲନାଡୁ ସରକାର । ଏହାର ଅର୍ଥ ଏଣିକି ବିନା ଅନୁମତିରେ ସିବିଆଇ ତାମିଲନାଡୁରେ କୌଣସି ପ୍ରକାରର ତଦନ୍ତ କରିପାରିବ ନାହିଁ । ତଦନ୍ତ ପାଇଁ ପ୍ରଥମେ ସିବିଆଇକୁ ତାମିଲନାଡୁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ରାଜ୍ୟ କିମ୍ବା ରାଜ୍ୟରେ ରହୁଥିବା ଲୋକଙ୍କ ବିରୋଧରେ ସିବିଆଇ ନିଜ ଇଚ୍ଛାରେ ଆଉ ତଦନ୍ତ କରିପାରିବ ନାହିଁ । ପୂର୍ବରୁ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, କେରଳ, ଝାରଖଣ୍ଡ, ମେଘାଳୟ, ମିଜୋରାମ, ପଞ୍ଜାବ ଓ ରାଜସ୍ଥାନ ଭଳି ୯ଟି ରାଜ୍ୟ ମଧ୍ୟ ସିବିଆଇ ସହ ସାଧାରଣ ସହମତି ନିୟମକୁ ପ୍ରତ୍ୟାହାର କରି ନେଇଥିଲେ ।

କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାର ବ୍ୟବହାର ରାଜନୈତିକ ଆକ୍ରୋଶ ରଖି କରୁଥିବାରୁ ରାଜ୍ୟଗୁଡ଼ିକ ଏପରି ପଦକ୍ଷେପ ନେଇଥିବା କହିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ମନି ଲଣ୍ଡରିଂ ମାମଲାରେ ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାର ମନ୍ତ୍ରୀ ଥିବା ସେନଥିଲ ବାଲାଜୀଙ୍କୁ ଇଡି ଗିରଫ କରିଥିଲା । ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା । ଗିରଫଦାରୀ ପଛରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ହାତ ଥିବା ଡିଏମକେ ଅଭିଯୋଗ କରିଥିଲା । ବିବାଦ ବଢ଼ୁଥିବା ବେଳେ ତାମିଲନାଡୁ ସରକାର ସିବିଆଇ ତଦନ୍ତକୁ ନେଇ ରହିଥିବା ସାଧାରଣ ସହମତି ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନେଇଛନ୍ତି ।