ଲକଡାଉନ୍ ସଜାଇଲା ବଳଦ, ପୁଅର ସାଇକେଲକୁ ଲଙ୍ଗଳ କରି ହଳ କଲେ କୃଷକ

1 min read
Tamilnadu Farmer Use Sons Bicycle To Plough Field Due To Faced The Brunt Of Lockdown

ଚେନ୍ନାଇ: ସାଇକେଲରେ ମଣିଷ ପରିବା ବୋହିବା ଦେଖିଥିବେ । କେବେ ଦେଖିଛନ୍ତି ? ସାଇକେଲରେ କେହି କେବେ ହଳ କରିବା… ହଁ ଏମିତି ଘଟିଛି । କରୋନାର କାଳ ନଜର ଓ ତାଲାବନ୍ଦ ଯୋଗୁଁ ଜଣେ କୃଷକଙ୍କୁ ଏମିତି କରିବାକୁ ପଡ଼ିଛି । କୃଷକ ନିଜେ ବଳଦ ସାଜିଥିବା ବେଳେ ପୁଅ ଧରିଛି ଲଙ୍ଗଳ । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡ଼ୁରେ । ଥିରୁଥାନୀ ଜିଲ୍ଲାର ଅଗୁରରେ ରହୁଥିବା ୩୭ ବର୍ଷୀୟ ନାଗରାଜ କରଜ ଆଣି ବିଲରେ ଚମ୍ପା ଚାଷ କରିଥିଲେ । ଆଶା ଥିଲା ଭଲ ଚମ୍ପା ଫୁଲ ହେଲେ ମନ୍ଦିର ଯାଉଥିବା ଶ୍ରଦ୍ଧାଳୁ ନେବେ । ବିବାହ, ବ୍ରତରେ ବିକ୍ରି କରି ଭଲ ଦି’ପଇସା ରୋଜଗାର କରି ପରିବାର ପୋଷିବେ ।

Tamilnadu Farmer Use Sons Bicycle To Plough Field Due To Faced The Brunt Of Lockdown

ଆଶାର ବିଶ୍ୱାସରେ ଇନ୍ଧନ ଭରି ଆସୁଥିବା ବେଳେ ହଠାତ୍ କରୋନା ପାଇଁ ସରକାର ଘୋଷଣା କରି ଦେଲେ ଲକଡାଉନ୍ । ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହୋଇଗଲା ମନ୍ଦିର । ଠପ୍ ହୋଇଗଲା ଜାକଜମକରେ ହେଉଥିବା ବାହାଘର । ଫଳରେ ଅମଳ ଫୁଲ ବିକ୍ରି ହୋଇ ପାରିଲା ନାହିଁ । ଏଭଳି ଦୁଃସ୍ଥିତିରେ ବର୍ଷେ ଚଳିବା ପରେ ନାଗରାଜ ପୁଣି ଚାଷ ପାଇଁ ଅଣ୍ଟା ଭିଡ଼ିଥିଲେ । ପାଖରେ ବେଶି ଟଙ୍କା ନଥିବାରୁ ଟ୍ରାକ୍ଟରରେ ହଳ କରିବା ସମ୍ଭବ ନଥିଲା । ଶେଷରେ ପୁଅକୁ ପାଠ ପଢ଼ିବା ପାଇଁ ସରକାର ଦେଇଥିବା ସାଇକେଲକୁ ଜୁଆଳି କରି ଚାଷ ଆରମ୍ଭ କରିଥିଲେ ନାଗରାଜ । ତାଙ୍କ ସହ ପୂରା ପରିବାର ବି ଚାଷରେ ଲାଗି ପଡ଼ିଥିଲା । ୬ ମାସର ପରିଶ୍ରମ ପରେ ଅପେକ୍ଷାର ଫୁଲ ଫୁଟିବା ବେଳକୁ ପୁଣି ଲକଡାଉନ୍ ହୋଇଗଲା ।

Tamilnadu Farmer Use Sons Bicycle To Plough Field Due To Faced The Brunt Of Lockdown

ଏନେଇ ନାଗରାଜ କୁହନ୍ତି- ମୁଁ ମୋ ପୁଅର ସାଇକେଲକୁ ଚାଷ କାର୍ଯ୍ୟରେ ବ୍ୟବହାର କରୁଛି । ଏମିତିରେ ମୋ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ । କେଉଁଠାରୁ କିଛି ସାହାଯ୍ୟ ନ ମିଳିବା ପରେ ଖେତ ହଳ କରିବା ପାଇଁ ମୁଁ ଏ ରାସ୍ତା ବାହାର କରିଛି । ଏ କେବଳ ଗୋଟିଏ ଘଟଣା ନୁହେଁ ପୂର୍ବରୁ ଏଭଳି ଅନେକ ଘଟଣା ଘଟିଛି । ୟୁପିରେ ଜଣେ ବୃଦ୍ଧ ଯୋଡ଼ା ବଳଦ ନଥିବାରୁ ନିଜେ ବଳଦ ସାଜି କ୍ଷେତ ହଳ କରିଥିଲେ ।

Leave a Reply