ନନ୍ଦିଘୋଷ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମେଣ୍ଡାକୁ ନୂତନ ବ୍ଲକ ଘୋଷଣା ଦାବି ଜୋର ଧରିଛି । ବିଭିନ୍ନ ନେତା ମନ୍ତ୍ରୀମାନଙ୍କୁ ଭେଟିବା ସହ ଗାଁ ଗାଁରେ ଚାଲିଛି ସଚେତନତା ସଭା ଓ ଆନ୍ଦୋଳନ। ଦାବି ପୂରଣ ନେହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଗ୍ରାମବାସୀ କହିଛନ୍ତି ।
ଜୋର ଧରିଲା ବ୍ଲକ ଗଠନ ଦାବି । ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମେଣ୍ଡା ଗାଁକୁ ନୂତନ ବ୍ଲକ ଘୋଷଣା ଦାବି। ୧୪ଟି ୱାର୍ଡ ବିଶିଷ୍ଟ ଗାଁରେ ବ୍ଲକ ଗଠନ ପାଇଁ ସବୁ ମାନଦଣ୍ଡ ପୂରଣ କରୁଛି । ଆଖପାଖରେ ଥିବା ମେଣ୍ଡା, ରାଣିସାରଡ଼ା, ଦେଉଳପଦର,ପାଇକବାହାଲ, ପୁଆ, ଜାରଜରିଙ୍ଗ ଆଦି ପଂଚାୟତର ୫୦ ହଜାରରୁ ଅଧିକ ଲୋକେ ବର୍ତ୍ତମାନ ଉପେକ୍ଷିତ ହୋଇ ରହିଛନ୍ତି । ଏଣୁ ଏହି ଅଞ୍ଚଳକୁ ନେଇ ନୂତନ ମେଣ୍ଡା ବ୍ଲକ ଗଠନ କରାଯିବାକୁ ଦାବି କରିଛନ୍ତି ଅଂଚଳବାସୀ ।
ପୂର୍ବରୁ ଶତାଧିକ ଲୋକ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଦେଇଥିଲେ। ସାମାଜିକ ଓ ଭୌଗଳିକ ସ୍ଥିତିକୁ ବିଚାର କଲେ ମେଣ୍ଡା ବ୍ଲକ ପାଇଁ ସମସ୍ତ ଯୋଗ୍ୟତା ରହିଛି । ଦୀର୍ଘ ୩୦ ବର୍ଷ ହେବ ମେଣ୍ତାକୁ ବ୍ଲକ ଘୋଷଣା ଦାବି ହୋଇ ଆସୁଛି । ସେପଟେ ଏନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

