କାଶ୍ମୀର ହିନ୍ଦୁଙ୍କ ପାଇଁ କାଳ ଆତଙ୍କବାଦୀ, ଦୁଇ ଦିନରେ ଗଲାଣି ୬ଜଣଙ୍କ ଜୀବନ

ନୂଆଦିଲ୍ଲୀ: କାଶ୍ମୀରରେ ଜାରି ରହିଛି ନରସଂହାର । ଆତଙ୍କବାଦୀମାନଙ୍କ ଟାର୍ଗେଟରେ ଏବେ ହିନ୍ଦୁ ସମ୍ପ୍ରଦାୟର ଲୋକ । ସାରା ବିଶ୍ୱରେ ଯେତବେଳେ ନୂଆ ବର୍ଷର ଉତ୍ସବ ପାଳନ କରାଯାଉଥିଲା ସେ ସମୟରେ ରବିବାର ସନ୍ଧ୍ୟାରେ କାଶ୍ମୀରର ରାଜୌରୀରେ ୪ ହିନ୍ଦୁଙ୍କୁ ତାଙ୍କ ନାଁ ପଚାରି ଆତଙ୍କୀମାନେ ଗୁଳିକରି ହତ୍ୟା କରି କରିଛନ୍ତି । ସେହିପରି ୭ ଜଣ ମଧ୍ୟ ଗୁଳିମାଡ଼ରେ ଆହତ ହୋଇଛନ୍ତି । ରବିବାରର ଏହି ଆତଙ୍କ ଥମିନଥିବା ବେଳେ ସୋମବାର ରାଜୌରୀର ସେହି ଧାଙ୍ଗରୀ ଗାଁରେ ଏକ ଆଇଇଡି ବିସ୍ଫୋରଣ ହୋଇଛି । ତେବେ ଗତକାଲିର ଆକ୍ରମଣରେ ଆତ୍ମୀୟଙ୍କୁ ହରାଇଥିବା ଲୋକମାନେ ଆନ୍ଦୋଳନ କରୁଥିବା ସମୟରେ ଏହି ବିସ୍ଫୋରଣ ଘଟିଥିଲା ।

ଏହି ବିସ୍ଫୋରଣରେ ୪ ବର୍ଷର କୋମଳ ଶିଶୁ ବିହାନ ଏବଂ ୧୬ ବର୍ଷୀୟା ସମୀକ୍ଷାଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ୭ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଏହି ସମସ୍ତ ଲୋକଙ୍କ ଚିକିତ୍ସା ଚାଲିଛି । ବିହାନଙ୍କ ବ୍ୟତୀତ ଆହତଙ୍କ ଚିହ୍ନଟ ୧୪ ବର୍ଷୀୟା ଶିଶୁ କନାୟା ଶର୍ମାଙ୍କ ରୂପରେ ହୋଇଛି, ଯିଏକି ବିପନ ଶର୍ମାଙ୍କ ଝିଅ ଅଟେ । ସକ୍ଷମ ଶର୍ମା ଏବଂ ବଂଶୁ ଶର୍ମା ନାମକ ଦୁଇ କିଶୋର ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ୫ ବର୍ଷୀୟ ଶିଶୁ ସାନଭି ଶର୍ମା ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସାନଭି ମାତ୍ର ୪ ବର୍ଷର ବିହାନଙ୍କ ଭଉଣୀ ଅଟେ, ଯିଏକି ବୋମା ବିସ୍ଫୋରଣରେ ଗୁରୁତର ହେବା ପରେ ହସ୍ପିଟାଲରେ ପ୍ରାଣ ତ୍ୟାଗ କରିଛି ।

ଆତଙ୍କବାଦୀଙ୍କ ଏହି ଆକ୍ରମଣ ପୁଣିଥରେ କାଶ୍ମୀରରେ ହିନ୍ଦୁଙ୍କ ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି କାରଣରୁ ସୋମବାର ସକାଳେ ଧାଙ୍ଗରୀରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରବର୍ଗ ଶବକୁ ରାସ୍ତାରେ ରଖି ବିରୋଧ ପ୍ରଦର୍ଶନ କରିବାକୁ ଲାଗିଥିଲେ । ଏହି ସମୟରେ ଲୋକମାନେ ଦାବି କରିଥିଲେ ଯେ ଆମକୁ ସୁରକ୍ଷା ମିଳିବା ଆବଶ୍ୟକ । ନିଜେ ଏଲଜିଙ୍କୁ ଆସି ଏହା ଉପରେ ଆଲୋଚନା କରିବା ଆବଶ୍ୟକ ବୋଲି ସେମାନେ କହିଥିଲେ । କେତେ ଦିନ ପର୍ଯ୍ୟନ୍ତ ଏମିତି ହିନ୍ଦୁଙ୍କ ନାଁ ପଚାରି ହତ୍ୟା କରାଯାଉଥିବ ବୋଲି ସେମାନେ ପ୍ରଶ୍ନ କରିଥିଲେ ।

ଏହାରି ମଧ୍ୟରେ ଏଲଜି ମନୋଜ ସିହ୍ନାଙ୍କ ପକ୍ଷରୁ ମୃତକଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦେବାକୁ ଘୋଷଣା କରିଛନ୍ତି । ସୂଚନାଥାଉକି, ଗତ ବର୍ଷରୁ ହିଁ କାଶ୍ମୀରରେ ଟାର୍ଗେଟ କିଲିଙ୍ଗ୍ସର ପ୍ରକ୍ରିୟା ଜାରି ରହିଛି । ଶ୍ରୀନଗର, ପୁଲୱାମା, ପୁଞ୍ଛ, ରାଜୌରୀ ସମେତ ଅନେକ ଜିଲ୍ଲାରେ ହିନ୍ଦୁମାନଙ୍କୁ ତାଙ୍କ ନାଁ ପଚାରି ହତ୍ୟା କରାଯିବାର ଘଟଣା ଘଟୁଛି । ତହସିଲ କାର୍ଯ୍ୟାଳୟ, ସ୍କୁଲ ଏବଂ ବ୍ୟାଙ୍କ ପର୍ଯ୍ୟନ୍ତ ଟାର୍ଗେଟ କରାଯାଇଛି । ସ୍ଥାନୀୟ ହିନ୍ଦୁ ଏବଂ ଶିଖ୍ ସମୁଦାୟର ଲୋକଙ୍କ ବ୍ୟତୀତ ବାହାର ରାଜ୍ୟର ଶ୍ରମିକଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି ।