ଗୁରୁ ଦିବସରେ ରାଜରାସ୍ତାରେ ଗୁରୁ: ୫ ଦଫା ଦାବି ନେଇ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଚାଲିଛି ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଆନ୍ଦୋଳନ । ଏକାଠି ହେଲେ ହଜାର ହଜାର ଶିକ୍ଷକ । ୫ ଦଫା ଦାବି ନେଇ ରାଜରାସ୍ତା ହକ୍ ମାଗିଲେ ଗୁରୁ । ସମସ୍ତ ଯୋଗ୍ୟ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା, ଅବସର ପରେ ଶିକ୍ଷକଙ୍କୁ ପେନସନ୍, ଚାକିରି ସର୍ତ୍ତାବଳୀ ସହ ବୟସ ସୀମା ୬୦ ରୁ ୬୨କୁ ବୃଦ୍ଧି ନେଇ ସରକାରଙ୍କୁ ଘେରିଛନ୍ତି ଶିକ୍ଷକ ।

ମହାତ୍ମାଗାନ୍ଧୀ ମାର୍ଗରେ ହକ ପାଇଁ ଆନ୍ଦୋଳନ । ମହା ସମାବେଶ ଓ ଅହରାତ୍ର ଧାରଣା । ଗୁରୁ ଦିବସରେ ସ୍କୁଲରେ ପୂଜା ପାଇବା ବଦଳରେ ରାଜରାସ୍ତାରେ ନିଜର ହକ୍ ପାଇଁ ଗର୍ଜୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଅବସର ପରେ ଶିକ୍ଷକଙ୍କୁ ପେନସନ୍, ଗ୍ରେଡ ପେ’ରେ ଥିବା ଅସଙ୍ଗିତ ଦୂରୀକରଣ, ଅବସର ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି, ନୂତନ ପେନସନକୁ ବାତିଲ କରି ପୂର୍ବ ପ୍ରଚଳିତ ପୁରୁଣା ପେନସନ ଲାଗୁ କରିବା, ଉଚ୍ଚନ୍ୟାୟଳୟଙ୍କ ନିର୍ଦ୍ଦେଶକୁ ପାଳନ କରି ଶିକ୍ଷକ ଓ କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ, ୨୦୦୪ରୁ ୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନ୍ୟାସନାଲ ଇନକ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଭଳି ୫ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶିକ୍ଷକ ।

ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପକ୍ଷରୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଚାଲିଥିବା ଏହି ଆନ୍ଦୋଳନରେ ଓଷ୍ଟା, ନିଖିଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ, ନିଖିଳ ଉତ୍କଳ ସଂସ୍କୃତ ମହାସଂଘ, ନିଖିଳ ଉତ୍କଳ ମାଦ୍ରାସା ଶିକ୍ଷକ ସଂଘ, ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ, ୬୬୨ ଓ ୪୮୮ ବର୍ଗ କେଲଜ କର୍ମଚାରୀ ସଂଘ, ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ, ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଂଘ ଓ ଅବସର ପ୍ରାପ୍ତ ସଂଘ ସାମିଲ ହୋଇଛନ୍ତି । ସେପଟେ ଆଗାମୀ ଦିନରେ ରାଜ୍ୟ ସରକାର ୪୪ ହଜାର ୪୩୩ ଶିକ୍ଷକ ନିଯୁକ୍ତି ଦେବାକୁ ଯାଉଛନ୍ତି । ସେହିପରି ପ୍ରତିବର୍ଷ ୧୫ ହଜାର ଶିକ୍ଷକ ନିଯୁକ୍ତି କରିବା ପାଇଁ ବି ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାର ଶିକ୍ଷକ ଅଭାବର ସମାଧାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।

ଗତ ମାସ ଅଗଷ୍ଟ ୧୬ ତାରିଖରେ ହଜାର ହଜାର ଶିକ୍ଷକ ଓ ଶିକ୍ଷୟତ୍ରୀ ଗାନ୍ଧୀମାର୍ଗରେ ମହାସାମବେଶରେ ଏକାଠି ହୋଇଥିଲେ । ସରାକରୀ ଦଳର ଦୁଇ ବିଧାୟକ ୫ ଦଫା ଦାବି ପତ୍ରକୁ ଗ୍ରହଣ କରି ବିଚାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ପୁଣି ଥରେ ଗାନ୍ଧୀମାର୍ଗରେ ଗୁର ।